ଭୁବନେଶ୍ବର: ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇ ଅର୍ଥମନ୍ତ୍ରୀ ହେବା ପରେ ଖାଲି ପଡ଼ିଛି ବାଚସ୍ପତି ପଦ । କାର୍ଯ୍ୟକାରୀ ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି ରଜନୀକାନ୍ତ ସିଂ । ତେବେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ? କଣ ରହିବ ସରକାରଙ୍କ ଆଭିମୁଖ୍ୟ ? ଏହାକୁ ନେଇ ଚର୍ଚ୍ଚା ଜୋରଦାର ଆରମ୍ଭ ହୋଇଛି । ମହିଳା ନା ପୁରୁଷଙ୍କୁ ମିଳିବ ବିଧାନସଭାର ଏହି ସର୍ବୋଚ୍ଚ ଦାୟିତ୍ବ, ଅଭିଜ୍ଞତା ନା ବରିଷ୍ଠତା ହେବ ପଦ ପାଇଁ ମାପକାଠି ତାହାର ଗଣିତ ଜାରି ରହିଛି ।
ଆସନ୍ତା ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ । କିଏ ହେବେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଜୋରଦାର । ରେସ୍ରେ ଅଛନ୍ତି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ମିଶ୍ର, ଅମର ପ୍ରସାଦ ଶତପଥୀ, ନୃସିଂହ ଚରଣ ସାହୁ ଓ ସ୍ନେହାଙ୍ଗିନୀ ଛୁରିଆ ନାଁ ରହିଛି । ଏମାନଙ୍କ ମଧ୍ୟରୁ କାହାକୁ ବିଜେଡି ସୁପ୍ରିମୋ ବାଚସ୍ପତି କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି । ନାଁ ଏମାନଙ୍କ ବାଦ ଆଉ କାହାକୁ ବାଚସ୍ପତି କରାଗଲେ ରାଜନୈତିକ ବାର୍ତ୍ତା ସଠିକ ଯିବ ତାହାକୁ ନେଇ ଜାରି ରହିଛି ଅଙ୍କ କଷା । ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିଲେ ଏହା ସ୍ପଷ୍ଟ ହେବ ।
ଏହା ବି ପଢନ୍ତୁ- ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀଙ୍କ ବି ଇସ୍ତଫା
ଆସନ୍ତା ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏହାପରେ ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ । ତେବେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୮ ତାରିଖରେ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ କିଏ ହେବେ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ ।
ବାଚସ୍ପତି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି । ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି । ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି । ମାତ୍ର ଏହି ପଦ ବର୍ତ୍ତମାନ ପରିସ୍ଥିତିରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦିଆଯିବା ନେଇ ସହମତି ହୋଇଛି । ଆଗାମୀ ଦିନରେ ଏହାକୁ ପରିବର୍ତ୍ତନ କରାଯିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଅନୁରୂପ ଭାବେ ପୁରୁଷ ବାଚସ୍ପତି ପଦ ପାଇଁ ମଧ୍ୟ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି । ପ୍ରଫୁଲ୍ଲ ସାମଲ, ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ନୃସିଂହ ଚରଣ ସାହୁଙ୍କ ନାଁକୁ ନେଇ ବିଚାରବିମର୍ଶ ଜାରି ରହିଛି ।
ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, "ବାଚସ୍ପତି କିଏ ହେବେ ତାର ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଓ ସରକାର କରିବେ । ଯିଏ ବାଚସ୍ପତି ହେବେ ତାଙ୍କର ଯୋଗ୍ୟତା ଓ ଅଭିଜ୍ଞତା ଅଧାରରେ ଏସବୁ ହେବ । ସବୁ ଦିଗରୁ ବିଚାର କରି ଏହା କରାଯିବ ।" ସେହିପରି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି,"ଏ ବାବଦରେ ମୁଁ ବିଶେଷ ଭାବେ ଅବଗତ ନାହିଁ । ଦଳର ନେତା ଏହାର ନିଷ୍ପତ୍ତି ନେବେ । ବିଧିବିଧାନ ଅନୁସାରେ ସବୁ ନିଷ୍ପତ୍ତି ନିଆଯିବ । ଜଣେ ବିଧାୟକ ହିସାବରେ ମୋର ମନ୍ତବ୍ୟ ଦେବା ଠିକ ହେବନାହିଁ ।" ସୂଚନା ଥାଉ କି, ନିର୍ବାଚନ ଆଗକୁ ରହିଥିବାରୁ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ତେଣୁ ଆସନ୍ତା ଅଧିବେଶନ ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ।
ଇଟିଭି ଭାରତ, ଭୁବନେଶ୍ବର