ଭୁବନେଶ୍ବର: ଆଖି ବୁଜିଲା ଧଳା ବାଘୁଣୀ ବିଜୟା । ନନ୍ଦନକାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଧଳା ବାଘୁଣୀ ବିଜୟାର ମୃତ୍ୟୁ ହୋଇଛି(White tigress Bijaya dies at Nandankanan) । ଆଜି(ଶନିବାର) ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ବିଜୟା । ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ବିଜୟା ଅସୁସ୍ଥ ହୋଇ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲା ।
ଆଜି ଅବସ୍ଥା ବିଗିଡ଼ି ଯିବାରୁ ଭୁବନେଶ୍ୱର ଓୟୁଏଟିରୁ(Odisha University of Agriculture & Technology) 2 ଜଣ ବିଶେଷଜ୍ଞ ଆସି ବାଘୁଣୀ ବିଜୟାର ସ୍ଥିତି ପରଖିଥିଲେ । ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ବିଜୟା ଅସୁସ୍ଥ ହୋଇ ଚିଡ଼ିଆଖାନାରେ ଚିକିତ୍ସିତ ହେଉଥିଲା । ହେଲେ ବିଶେଷଜ୍ଞ ଟିମ ବିଜୟାର ଜୀବନ ବଞ୍ଚାଇବାରେ ଅସଫଳ ହୋଇଛନ୍ତି । ଆଜି ଚିକିତ୍ସାଧିନ ଅବସ୍ଥାରେ ବିଜୟାର ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ପରଲୋକରେ ରାମୋଜୀ ଫିଲ୍ମ ସିଟିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଟଲୁରୀ ରାମମୋହନ ରାଓ
ସୂଚନାଅନୁସାରେ, ଗତ କିଛି ଦିନ ଧରି ରକ୍ତ ପଡିବା ସହ ଗର୍ଭାଶୟରେ ଆକ୍ରାନ୍ତ ହୋଇଥିଲା । ଅକ୍ଟୋବର ୯ ତାରିଖରେ ବିଜୟାର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ ଖାଦ୍ଯ ଖାଇବା କମେଇଦେଇଥିଲା । ବାଘୁଣୀ ବିଜୟାକୁ ସାଲାଇନ ସହ ଆଣ୍ଟି ବାୟୋଟିକ ମେଡ଼ିସିନ ଦିଆଯାଉଥିଲା । ବାଘୁଣୀ ବିଜୟା ଗତ ବର୍ଷ ତିନିଟି ଛୁଆ ଜନ୍ମକରି ଚର୍ଚ୍ଚା ପରିସରକୁ ଆସିଥିଲା । ଧଳା ବାଘୁଣୀ ବିଜୟାକୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ନନ୍ଦନକାନନ(Nandankanan Zoological Park) ଆସୁଥିଲେ । ତେବେ ଧଳାବାଘୁଣୀ ବିଜୟାର ମୃତ୍ୟୁ ବେଳକୁ ୧୨ ବର୍ଷ ହୋଇଥିବା ନେଇ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: 3 ଶାବକକୁ ଜନ୍ମ ଦେଲା ବାଘୁଣୀ ବିଜୟା
ସୂଚନାଯୋଗ୍ଯ ଯେ, ଗତ ୨୦୨୧ ମସିହା ମାର୍ଚ୍ଚ ୨୮ ତାରିଖରେ ଏକାସଙ୍ଗେ ୩ ଶାବକକୁ ଜନ୍ମଦେଇ ଚର୍ଚ୍ଚା ପରିସରକୁ ଆସିଥିଲା ଧଳା ବାଘୁଣୀ ବିଜୟା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ବିଜୟା ତୃତୀୟ ଥର ପାଇଁ ମାଆ ହୋଇଥିଲା । ପୂର୍ବରୁ ମଧ୍ୟ ବିଜୟା ୪ଟି ସନ୍ତାନର ମା ହୋଇ ସୁଚାରୁ ରୂପେ ଛୁଆମାନଙ୍କୁ ଲାଳନ ପାଳନ କରି ବଡ଼ କରିଥିଲା । ହାଇଦ୍ରାବାଦ ବାଘ ସେଫ ଓ ବିଜୟାକୁ ଗତ ୨୦୨୦ ମସିହା ଡିସେମ୍ବର ୧୫ ତାରିଖରେ ମିଳନ କରାଯାଇଥିଲା । ଧଳା ବାଘୁଣୀ ବିଜୟା ମୋଟ ୯ଟି ଶାବକ ଜନ୍ମଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶୋଭାବର୍ଦ୍ଧନ କରିଥିଲା । ଧଳା ବାଘୁଣୀ ବିଜୟାର ମୃତ୍ୟୁ ପରେ ସେ ରହୁଥିବା ଖୁଆଡ଼ ଏବେ ଖାଲି ପଡିଛି । ସେପଟେ ଗତ ୧୨ବର୍ଷ ଧରି ବିଜୟାର ଯତ୍ନ ନେଉଥିବା ନନ୍ଦନକାନନର କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର