ଭୁବନେଶ୍ବର: ଆଗକୁ ଆସୁଛି ବର୍ଷା ଋତୁ । ଆସନ୍ତା କିଛି ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏ ସଂପର୍କରେ ବୈଠକ ଡାକି ସମୀକ୍ଷା କରିଛନ୍ତି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ । ଏଥିରେ ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁଧାଂଶୁ ମୋହନ ସାମଲ, ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ନଦୀ ଅବବାହିକାରେ ଅବସ୍ଥାପିତ ମୁଖ୍ୟ ଯନ୍ତ୍ରୀମାନେ ଭିସି ଜରିଆରେ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବୈଠକରେ ମନ୍ତ୍ରୀ ଚଳିତ ବର୍ଷ ବର୍ଷା ପୂର୍ବରୁ ବିଭିନ୍ନ ନଦୀ ବନ୍ଧର ସଠିକ ଯାଞ୍ଚ ଉପରେ ଗୁରୁତ୍ବ ଦେଇଛନ୍ତି । ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଶେଷ ହୋଇଥିବା ବୈଠକରେ ସୂଚନା ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ ରାଜ୍ୟରେ ବଡ ଧରଣର ବନ୍ୟା ଆସିଥିଲା । ବନ୍ୟାକୁ ଜଳସମ୍ପଦ ବିଭାଗର ଅଧିକାରୀ, ଯନ୍ତ୍ରୀ ଓ ସମସ୍ତଙ୍କର ସାମୁହିକ ପ୍ରୟାସରେ ସତର୍କତାର ସହ ପଦକ୍ଷେପ ନିଆଯାଇ ପରିଚାଳନା କରାଯାଇଥିଲା । ଚଳିତ ବର୍ଷ ସେହିପରି ବନ୍ୟା ପରିଚାଳନା ହେବ । କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଅଧିକାରୀ ଓ ଯନ୍ତ୍ରୀ କେଉଁଠି ଦୁର୍ବଳ ବନ୍ଧ ରହିଛି, ମରାମତି ଠିକ୍ ଭାବେ ହୋଇଛି କି ନାହିଁ, ସେସବୁ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସଠିକ ପ୍ରସ୍ତୁତି ନରହିଲେ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ଥାଏ । ମୁଖ୍ୟମନ୍ତ୍ରୀ ସବୁବେଳେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହି ଆସିଛନ୍ତି । ଓଡ଼ିଶାର ଧନ ଓ ଜୀବନ କିପରି ସୁରକ୍ଷିତ ରହିବ, ସମସ୍ତଙ୍କର ସମ୍ମିଳିତ ପ୍ରୟାସ ରହିବା ଆବଶ୍ୟକ । ଜଳସଂପଦ ବିଭାଗ ସବୁବେଳେ ଟିମ୍ ୱାର୍କ ବା ଦଳଗତ ପ୍ରଚେଷ୍ଟାରେ ସମସ୍ତ କାର୍ଯ୍ୟ କରୁଛି । ଏହି ଆଧାରରେ ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟାକୁ ଦୃଢ଼ତାର ସହ ମୁକାବିଲା କରିପାରିବ । ଏନେଇ ମନ୍ତ୍ରୀ ଆଶା ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଯେଉଁ ଜିଲ୍ଲାରେ ନଦୀବନ୍ଧ ମରାମତି, ଘଳିଆ ମରାମତି ଆଦି ଆଶଙ୍କା ରହିଛି, ସଂପୃକ୍ତ ଜିଲ୍ଲାର ଜିଳ୍ଲାପାଳ, ଜନପ୍ରତିନିଧି, ସରପଞ୍ଚମାନଙ୍କ ସହଯୋଗ ନେବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି । ବନ୍ୟା ସମୟରେ ସାଧାରଣ ଲୋକଙ୍କ ଠାରୁ ମିଳୁଥିବା ସହଯୋଗ ଆମର ସମ୍ବଳ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ପ୍ରତି ବର୍ଷ ମୌସୁମୀ ବର୍ଷା ଜନିତ ବନ୍ୟା ପାଇଁ ପ୍ରସ୍ତୁତି କରିବା ହେଉଛି ଜଳ ସଂପଦ ବିଭାଗର ପ୍ରମୁଖ କାର୍ଯ୍ୟ । ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ଏହା ପ୍ରତିବର୍ଷ କରିଆସୁଛନ୍ତି । କିନ୍ତୁ ଏହାକୁ କୌଣସି ମତେ ହାଲୁକା ଭାବେ ନନେଇ ଶତ ପ୍ରତିଶତ ନିଷ୍ଠା ଓ ଯତ୍ନର ସହ ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରାକ ବନ୍ୟା ପ୍ରସ୍ତୁତି ସଂପର୍କିତ ନିୟମିତ ସମୀକ୍ଷା ବିଭାଗରେ କରାଯାଉଛି । ବୈଠକରେ ରାଜ୍ୟରେ ଥିବା ୮ଟି ବୃହତ, ୪୭ଟି ମଧ୍ୟମ ଜଳ ଭଣ୍ଡାରର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଛି । ସେସବୁର ସ୍ଥିତି ଭଲ ରହିଥିବା ଜଣାଯାଇଛି ।
୨୦୨୧ ମସିହା ସେପ୍ଟେମ୍ବରରେ ହୋଇଥିବା ବନ୍ୟାରେ ୨୦ଟି ଘାଇ ହୋଇଥିବା ବେଳେ ୨୦୨୨ ଅଗଷ୍ଟରେ ବନ୍ୟାରେ ୮ଟି ଘାଇ ହୋଇଥିଲା । ସମସ୍ତ ଘାଇ ମରାମତି ସରିଥିବା ବେଳେ ମହାନଦୀ ନର୍ଥ ଡିଭିଜନରେ ଗୋଟିଏ ଘାଇ ମରାମତି ଚାଲୁ ରହିଛି । କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆଗାମୀ ଜୁନ ୩୦ ସୁଦ୍ଧା ଏହାର ପଥର ପ୍ୟାକିଂ କାର୍ଯ୍ୟ ସରିବ । ଜୁଲାଇ ୧୦ ତାରିଖ ସୁଦ୍ଧା ଏହାର ସମ୍ପୂର୍ଣ୍ଣ ମରାମତି ସରିବ ବୋଲି ସୂଚନା ମିଳିଛି । ସେହିପରି ୨୦୨୨ ରେ ବିଭିନ୍ନ ଡିଭିଜନରେ ୭୨୦ ଟି ଘଳିଆ ସୃଷ୍ଟି ହୋଇଥିବା ବେଳେ ସେଗୁଡିକୁ ମରାମତି କରାଯାଇଛି । ସବୁ ନଦୀ ଅବବାହିକାରେ ଥିବା ନଦୀ ବନ୍ଧର ଯୁଗ୍ନ ତନଖି କାର୍ଯ୍ୟ ସରିଛି । ରାଜ୍ୟରେ ମୋଟ ନଦୀବନ୍ଧ ୭୪୭୩.୨୦୬ କିମି ରହିଥିବା ବେଳେ ସେଥିରୁ ୧୬୩୫.୯୪୫ କିମି. ଲୁଣି ବନ୍ଧ ରହିଛି ।
ହୀରାକୁଦ ଜଳ ଭଣ୍ଡାର ସମେତ ସମସ୍ତ ନଦୀ ବନ୍ଧ, ବ୍ୟାରେଜ ଆଦିର ସ୍ଲୁଇସ ଗେଟର ଆବଶ୍ୟକ ମରାମତି ଓ ମକ ଡ୍ରିଲ ପରିଚାଳନା କାର୍ଯ୍ୟ ଶେଷ ହୋଇଛି । ସମସ୍ତ ଦୁର୍ବଳ ନଦୀବନ୍ଧ ବା ସମ୍ବେଦନଶୀଳ ସ୍ଥାନ ଗୁଡିକରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଉପକରଣ ଓ ଯନ୍ତ୍ରପାତି ଆଦି ମହଜୁଦ ରଖାଯାଇଛି । ସଂପୃକ୍ତ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ପୋଲିସ ପ୍ରଶାସନ, ସ୍ବେଚ୍ଛାସେବୀ ସଂଗଠନ ଆଦିମାନଙ୍କ ସହିତ ସମନ୍ବୟ ବୈଠକ କରାଯାଉଛି । ଓଡିଶାର ପଡୋଶୀ ସୀମାରେ ଥିବା ସହ ବେସିନ ଅବବାହିକାର କର୍ତ୍ତୃପକ୍ଷମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବନ୍ୟା ସମୟରେ ଯେପରି ସମୁଦ୍ର ଭିତରକୁ ବନ୍ୟା ଜଳ ବିନା ବାଧାରେ ପ୍ରବେଶ କରିପାରିବ, ସେଥିପ୍ରତି ଦୃଷ୍ଟି ଦିଆଯାଇ ନଦୀ ମୁହାଣ ଗୁଡିକୁ ସଫା କରାଯାଇଛି । ବନ୍ୟା ପୂର୍ବରୁ କେତେ ପାଣି ନଦୀକୁ ଆସିବ, ସମ୍ଭାବ୍ୟ ବନ୍ୟାସ୍ଥିତି ଆକଳନ ପାଇଁ ଗୋ-ଓ୍ବାଟର ଆପ୍ଲିକେସନ ମହାନଦୀ, ବ୍ରାହ୍ଣଣୀ, ବୈତରଣୀ ଏବଂ ଋଷିକୂଲ୍ୟା ଆଦି ୪ଟି ପ୍ରମୁଖ ନଦୀ ଅବବାହିକାରେ କାର୍ଯ୍ୟ କରିବ । ଜୁନ ୧ରୁ ସେଚ ସଦନରେ ଖୋଲାଯାଇଛି ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ । ଏହା ଆଗାମୀ ୩୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ସେହିପରି ସବୁ ଡିଭିଜନ ଓ ସର୍କଲ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର