ଖୋର୍ଦ୍ଧା: ଗାଁକୁ ଆସିବ ମେଗା ଜଳ ଯୋଗାଣ ପ୍ରକଳ୍ପରେ ପାନୀୟ ଜଳ । ଆଉ ଦୂର ହେବ ସମସ୍ୟା । ଏଥିପାଇଁ କେନ୍ଦ୍ର ସରକାର 244 କୋଟି 21ଲକ୍ଷ ଟଙ୍କା ବ୍ୟୟରେ ବେଗୁନିଆ ବୋଲଗଡ଼ର 35ଟି ପଞ୍ଚାୟତରେ ଜଳ ଯୋଗାଣ ପାଇଁ କାମ ଆରମ୍ଭ କରିଥିଲେ । ଫେବୃଆରୀ 2021 ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଯାବତ୍ ଶେଷ ହୋଇନଥିବା ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟ କରିବା ପାଇଁ ଜେଏମସି ଇଣ୍ଡିଆ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଥିଲେ ସରକାର । ସେହିପରି ଏହି କାର୍ଯ୍ୟ ଫେବୃଆରୀ 2021 ସୁଦ୍ଧା ସାରିବାକୁ ଦେଇଥିଲେ ନିର୍ଦ୍ଦେଶ । କିନ୍ତୁ କାର୍ଯ୍ୟାଦେଶର ଅବଧି ସରିଯାଇଥିଲେ ମଧ୍ୟ କାମ ସରିପାରିନି । ଯେଉଁଥିପାଇଁ ବିଶୁଦ୍ଧ ପାନୀୟଜଳ ପାଇବାର ଆଶା ଆଶାରେ ରହିଛି । ସେପଟେ ଠିକାସଂସ୍ଥା ଜେଏମସି ଇଣ୍ଡିଆର ମନମାନି ପାଇଁ ସ୍ଥାନୀୟ ଲୋକ ଯନ୍ତ୍ରଣା ଭୋଗୁଛନ୍ତି । ବେଗୁନିଆ ମଲ୍ଲୀପଦର ଗ୍ରାମରେ ପାଇପ ବିଛାଇବା ପାଇଁ ଦୀର୍ଘ ବର୍ଷେ ହେବ ଗାଁ ଦାଣ୍ଡ ଖୋଳି ଏହାର ମରାମତି କରିନି ସଂସ୍ଥା ।
ଖାଲି ଗାଁ ଦାଣ୍ଡ ନୁହେଁ ସ୍କୁଲ ସମ୍ମୁଖ ରାସ୍ତା ମଧ୍ୟ ଖୋଳା ହୋଇଛି । ଯାହାଦ୍ବାରା କୁନି କୁନି ପିଲାମାନେ ପଡି ଖଣ୍ଡିଆଖାବରା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ଏହାର ମରାମତି କରାନଗଲେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେପଟେ ଏହାର ତୁରନ୍ତ ମରାମତି ପାଇଁ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ