ଖୋର୍ଦ୍ଧା : ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଅଟ୍ରୀର ରହିଛି ସ୍ବତନ୍ତ୍ର ସ୍ଥାନ । ଏହାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଅର୍ଥ ଅନୁଦାନ ଦେଇଥିଲେ ମଧ୍ୟ ଏହି ପର୍ଯ୍ୟଟନ କ୍ଷେତ୍ର ଏବେବି ଅବ୍ୟବସ୍ଥା ଘେରରେ । ବିଗତ ଚାରିଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ଖୋର୍ଦ୍ଧାର ପର୍ଯ୍ୟଟନସ୍ଥଳୀ ଉଷ୍ଣ ପ୍ରସ୍ରବଣ ଅଟ୍ରୀ ।
ଯାହାଫଳରେ ଏଠାକୁ ଆସୁଥିବା ଶହଶହ ସଂଖ୍ୟକ ପର୍ଯ୍ୟଟକ ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକୁ ନଦେଖି ଫେରିଯିବାକୁ ବାଧ୍ୟ ହେଉଛନ୍ତି । ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଜଳମୟ ହୋଇ ପଡ଼ିଥିବା ବେଳେ ଏହା ଉପରେ ନିର୍ଭର କରି ବଞ୍ଚୁଥିବା ପୂଜକମାନେ ଏବେ ଚିନ୍ତାରେ ।
ଅନେକ ଅବ୍ୟବସ୍ଥା ଥିବାବେଳେ ଲଗାଣ ବର୍ଷା ଯୋଗୁଁ ଏହି ସମସ୍ୟା ଆହୁରି ଦ୍ବିଗୁଣିତ ହୋଇଛି । ଯାତ୍ରୀଙ୍କ ପାଇଁ ଶୌଚାଳୟ ଟିଏବି ନାହିଁ କି, ପର୍ଯ୍ୟଟକଙ୍କ ପାଇଁ ଗାଧୋଇବା କୁଣ୍ଡରେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଜମୁଛି । ତେଣୁ ସରକାର ଏହି କ୍ଷେତ୍ରରେ ସେମିତି କିଛି ପଦକ୍ଷେପ ନେଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ପୂଜକ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା , ଇଟିଭି ଭାରତ ।