ଖୋର୍ଦ୍ଧା: ସେତୁ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଗ୍ରାମକୁ ରାସ୍ତାଟିଏ ନଥିବାରୁ ଗ୍ରାମବାସୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି ଗ୍ରାମବାସୀ ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ପାଣ୍ଡିଆବିଲି ଗ୍ରାମରେ ରାସ୍ତାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଗାଁକୁ ଯାତାୟତ କରିବା ନେଇ ବର୍ଷ ତମାମ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ମୁଖ୍ୟ ରାସ୍ତା ଦେଇ ଦୟା ନଦୀର ଶାଖା ରାଜୁଆ ନଦୀ ପ୍ରବାହିତ ହେଉଛି । ତେଣୁ ବର୍ଷକରୁ ଆଠ ମାସ ଗ୍ରାମବାସୀମାନେ ଡଙ୍ଗାରେ ପାର ହେଉଥିବା ବେଳେ ଅନ୍ୟ ଦିନରେ ଅସ୍ଥାୟୀ ପୋଲ ଦେଇ ଯାତାୟତ କରନ୍ତି ।
ଦୀର୍ଘ ଦିନ ହେବ ନଦୀରେ ସେତୁ ନିର୍ମାଣ ସହ ଗ୍ରାମର ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଛି । ହେଲେ ଏବେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏନେଇ ଚଳିତ ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଗ୍ରାମୀବାସୀମାନେ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ