ଭୁବନେଶ୍ବର: ଓଡ଼ିଶାର ବାଦ୍ୟ କିମ୍ବଦନ୍ତୀ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକ । ଆଜି (ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି । ଭାରତୀୟ ଶାସ୍ତ୍ରୀୟ ତବଲା ବାଦନ ଲାଗି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଥିଲେ ସେ । ବିଶିଷ୍ଟ ତାବଲା ବାଦକ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ସହିତ ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ପଣ୍ଡିତ ଉମେଶ ଚନ୍ଦ୍ରଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀର ଏକ ପ୍ରତିଷ୍ଠିତ କଳାକାର ପରିବାରରେ ହୋଇଥିଲା। ତାଙ୍କର ପିତା ବାଦ୍ୟ ବିନୋଦ କ୍ଷେତ୍ରମୋହନ କର ଥିଲେ ଜଣେ ଖ୍ୟାତିସମ୍ପର୍ଣ୍ଣ ମର୍ଦ୍ଦଳ ଓ ତବଲା ବାଦକ। ମାଆ ପଦ୍ମାବତୀ କର ଥିଲେ ସିତାର ବାଦିକା। ପଣ୍ଡିତ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ୨୦୧୦ ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।
ଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାକୁ ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ କରଙ୍କ ଶେଷକୃତ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର