ବଲାଙ୍ଗୀର: ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବିଦ୍ୟୁତ ବିଭାଗର ଅଧିକାରୀ । ପୋଲିସରେ ଅଭିଯୋଗ ପରେ ଦୁଇ ଅଧିକାରୀ ଗିରଫ । ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କାର୍ଯ୍ୟରତ ଥିବା ତିନି ଜଣ ସାମ୍ବାଦିକଙ୍କୁ ଅଧିକାରୀ ମାନେ ଆକ୍ରମଣ କରିଛନ୍ତି । ଯେଉଁଥିରେ ତିନି ଜନ ସାମ୍ବାଦିକ ଆହତ ହୋଇଛନ୍ତି ।
ଦୁଇ ଗିରଫ:
ତେବେ ଟିଟିଲାଗଡ ପୋଲିସରେ ଏହାର ଅଭିଯୋଗ ହେବା ପରେ ପୋଲିସ ପଦକ୍ଷେପ ନେଇ ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିଛି । ତେବେ ଅଭିଯୋଗ ଅନୁସାରେ ଗତକାଲି(ବୁଧବାର) ଟିଟିଲାଗଡ ସୁମନ ଭାଡ଼ି ଗ୍ରାମରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଉଦ୍ଧବ ପୋଢ଼ଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ବିଦ୍ୟୁତ୍ ବିଭାଗର ଅବହେଳା ବୋଲି ଅଭିଯୋଗ ଆସିଥିଲା ।
ସାମ୍ବାଦିକଙ୍କୁ ଆକ୍ରମଣ କଲେ ଅଧିକାରୀ:
ସେପଟେ ଏହାର ଖବର ସଂଗ୍ରହ କରିବାକୁ ଯାଇଥିଲେ ତିନି ଜଣ ସାମ୍ବାଦିକ ଅଭିନାଶ ନନ୍ଦ, ତରୁଣ ବେହେରା ଓ ସଞ୍ଜୟ ବେହେରା । ଘଟଣାର ଖବର ସଂଗ୍ରହ କରିବା ପରେ ସେଠିକାର ବିଦ୍ୟୁତ୍ ବିଭାଗକୁ ପ୍ରତିକ୍ରିୟା ପାଇଁ ଯାଇଥିଲେ । ହେଲେ ସେଠି କେହି ଅଧିକାରୀ ଉପସ୍ଥିତ ନ ଥିବାର ଜାଣିଥିଲେ । ତେବେ ସବୁ ସାମ୍ବାଦିକ ସେଠାକୁ ଯାଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ସେଠି ଉପସ୍ଥିତ ଥିବା ଅଧିକାରୀ ଜଗନ୍ନାଥ ପତି ଓ ଅନ୍ୟମାନେ ଏମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ସେହିପରି ଏମାନଙ୍କ କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ଏମାନେ ଭାଙ୍ଗି ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି ।
ତ୍ବରିତ ପଦକ୍ଷେପ ନେଲା ପୋଲିସ:
ସେପଟେ ଟିଟିଲାଗଡ ପୋଲିସରେ ଏହାର ଅଭିଯୋଗ ଆହତ ସାମ୍ବାଦିକ କରିବା ପରେ ପୋଲିସ୍ ତ୍ୱରିତ ପଦକ୍ଷେପ ନେଇଛି । ଦୁଇ ଅଧିକାରୀ ଜଗନ୍ନାଥ ପତି ଓ ଚିନ୍ମୟ ସାହୁଙ୍କୁ ପୋଲିସ ଗିରଫ କରିଛି । ସେହିପରି ଏମାନଙ୍କ ବିରୋଧରେ BNS ଦଫା 162(2),296,115(2), 303(2),351(3), 3(5) ଓ SC/ST ସୁରକ୍ଷା ଆଇନ୍ 3(1)(r),3 (2)(s) ଓ 3(2)(v a)ରେ କୋର୍ଟ ଚାଲାଣ କରିଛି । ସେହିପରି ଏମାନଙ୍କର ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
କଣ କହିଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ:
ସେପଟେ ଅଭିଯୋଗକାରୀ ସାମ୍ବାଦିକ ତରୁଣ ବେହେରା କହିଛନ୍ତି, " ଆମେ ଜଣେ ଶ୍ରମିକର ବିଦ୍ୟୁତ୍ ତାରରେ ଆସି ମୃତ୍ୟୁ ହୋଇଥିବାର ଖବର ସଂଗ୍ରହ ପାଇଁ ଯାଇଥିଲୁ । ସେଠୁ ଖବର ସଂଗ୍ରହ କରି ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଯାଇଥିଲୁ । ହେଲେ ସେମାନେ କେହି ଅଫିସ ରେ ନ ଥିବା ବେଳେ ଏମାନେ ସମସ୍ତେ କାର୍ଯ୍ୟ ଦିବସରେ ଭୋଜି କରୁଥିବାର ଜାଣିଥିଲୁ । ତାଙ୍କ ପ୍ରତିକ୍ରିୟା ପାଇଁ ସେଠାକୁ ଯାଇଥିଲୁ । ହେଲେ ସେଠି ଅଧିକାରୀ ମାନେ ଆମକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ।’
ନିନ୍ଦା କଲା ଜିଲ୍ଲା ସାମ୍ବାଦିକ ସଂଘ:
ସେପଟେ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପରିଡ଼ା କହିଛନ୍ତି," କିଛି ସାମ୍ବାଦିକ ଏକ ବିଦ୍ୟୁତ୍ ତାର ଲାଗି ଶ୍ରମିକର ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଥିଲେ । ଏହା ପରେ ସେମାନେ ଭୋଜି କରୁଥିବା ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ । ଯେଉଁଠି ତାଙ୍କୁ ଏଭଳି ଆକ୍ରମଣ କରାଯାଇଛି । ଯାହାକୁ ନେଇ ପୋଲିସ୍ ପାଖରେ ଅଭିଯୋଗ ହୋଇଛି । ପୋଲିସ ଏହା ଉପରେ ତ୍ୱରିତ ପଦକ୍ଷେପ ନେଉ ।’
ତେବେ ଏହି ଘଟଣାରେ ଆମେ ପୋଲିସର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ମିଳିପାରିନାହିଁ ।
ଇଟିଭି ଭାରତ, ବଲାଙ୍ଗୀର