ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ । 300 ଟଙ୍କାରେ ବ୍ୟାଗ ଫୁଲ ହେଉନି । ପ୍ରାୟ ଅଧିକାଂଶ ପରିବାର ଦର 100 ଟଙ୍କା ଉପରେ ରହିଛି । ହଠାତ ପରିବାର ବର୍ଦ୍ଧିତ ଦର ଯୋଗୁଁ ଲୋକେ ପରିବା କିଣିବାକୁ ଡରୁଛନ୍ତି । ଫଳରେ ଖାଁ ଖାଁ ହୋଇପଡ଼ିଛି ଭୁବନେଶ୍ବର ଏକ ନମ୍ବର ହାଟ । କାଁ ଭାଁ ଗ୍ରାହକଙ୍କୁ ଛାଡିଦେଲେ ପୁରା ଦୋକାନ ଖାଲି । ଆଉ ଯିଏ ବି କିଣୁଛନ୍ତି କିଲୋ ବଦଳରେ 250 ଗ୍ରାମ ପରିବା କିଣୁଛନ୍ତି । ଗ୍ରାହକଙ୍କୁ ଅପେକ୍ଷା କରି ବେପାରି ମଧ୍ୟ ନିରାଶ ହୋଇଛନ୍ତି ।
ବର୍ଦ୍ଧିତ ପରିବା ଦର ନେଇ କେବଳ ଖାଉଟି ନୁହେଁ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଯେଉଁଠି ଭିଡ଼ ଲାଗୁ ଥିଲା ଏବେ ଲୋକଙ୍କ ଦେଖା ମିଳୁନାହିଁ । ଉତ୍ପାଦନ ନଥିବାରୁ ଏପରି ସ୍ଥିତି ଉପୁଜିଛି ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି । ଲୋକେ ଯେଉଁ ପରିମାଣରେ ପରିବା କିଣୁଥିଲେ ସେହି ପରିମାଣରେ ପରିବା କିଣୁନାହାନ୍ତି । ଏହାର ମୂଳ କାରଣ ଉତ୍ପାଦନ କମିବା ବୋଲି କହିଛନ୍ତି ବ୍ୟବସାୟୀ । ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ସବୁ ପରିବା କିଲୋ 100 ଟଙ୍କା ଉପରେ । ଝୁଡୁଙ୍ଗ କିଲୋ 100 ଟଙ୍କା ରହିଥିବା ବେଳେ, କ୍ୟାପସିକମ ରହିଛି 100 ଟଙ୍କା । ସେହପରି ପୋଟଳ କେଜି 100 , ଟମାଟୋ କେଜି 100 ଟଙ୍କା । ଯାହା କିଲୋ 20ରୁ 30 ଟଙ୍କାରେ ବିକ୍ରି ହେଉଥିଲା ତାର ଦର ଏବେ 100 କିମ୍ବା 100 ଟଙ୍କାରୁ ଅଧିକ ଛୁଇଁଛି । ପରିବା ଦର ବୃଦ୍ଧିକୁ ନେଇ ଗ୍ରାହକ ଏକ ପ୍ରକାର ହତାସ ହୋଇଛନ୍ତି । ସେପଟେ ବ୍ୟବସାୟୀ ବି ନିରାଶ ହୋଇଛନ୍ତି । କାରଣ ଆଗ ଭଳି ଆଉ ବେପାର ହେଉନାହିଁ ।
ଏହା ମଧ୍ୟ ପଢ଼ନ୍ତୁ: ଭାଉ ଖାଉଛି ଟମାଟୋ, ଏକାଥରେ ଦର ସେଞ୍ଚୁରୀ ପାର
ସେପଟେ ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, "ରାଜ୍ୟରେ ପରିବା ଉତ୍ପାଦନ ହେଉନାହିଁ । ମୌସୁମୀ ବିଳମ୍ବରେ ଆସିବା କାରଣରୁ ଏପରି ସ୍ଥିତି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଉତ୍ପାଦିତ ପରିବା ଏବେ ସୁଦ୍ଧା ବଜାରକୁ ଆସିନାହିଁ । ରାଜ୍ୟ ବାହାରୁ ପରିବା ଆଣିବାକୁ ପଡୁଛି । ଯାହା ଫଳରେ ପରିବା ଦର ଆକାଶ ଛୁଆଁ ହୋଇଛି । ତେବେ ଆଜି ଅଧିକାଂଶ ପରିବାରେ 20ରୁ 30 ଟଙ୍କା କମିଛି । କିନ୍ତୁ କାଲିକୁ ପୁଣି ବଢିପାରେ । 15ଦିନ ପର୍ଯ୍ୟନ୍ତ ପରିବା ଦର କମ ବୃଦ୍ଧି ଲାଗିରହିବ । ନାସିକ, ବେଙ୍ଗାଲୁର, ପଶ୍ଚିମବଙ୍ଗରୁ ପରିବା ଆସୁଥିବାରୁ ଦର ଅଧିକ ରହୁଛି ।" ଯେ ପର୍ଯ୍ୟନ୍ତ ରାଜ୍ୟରୁ ଉତ୍ପାଦିତ ପରିବା ନ ଆସିଛି ସେ ପର୍ଯ୍ୟନ୍ତ ଉଚ୍ଚା ଦରରେ ପରିବା ବିକ୍ରି ହେବ । " ତେବେ 15 ଦିନ ପରେ ସ୍ଥିତି ସ୍ବାଭାବିକ ହେବ ବୋଲି ଆକଳନ କରିଛନ୍ତି ପରିବା ବ୍ୟବସାୟୀ ମହାସଂଘର ସଭାପତି । ତେବେ କେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉତ୍ପାଦିତ ପରିବା ହାଟକୁ ଆସିବ । କେବେ ଅମଳ କରିବ ଚାଷୀ ତାକୁ ହିଁ ଅପେକ୍ଷା । ଓଡ଼ିଶା ଚାଷୀର ଅମଳ ଉପରେ ନିର୍ଭର କରୁଛି ପରିବାର ଦର ।
ଭୁବନେଶ୍ବର, ଇଟିଭି ଭାରତ