ଭୁବନେଶ୍ବର: ପୂଜା ଋତୁରେ ରାଜଧାନୀରେ ମାତିଲେ ଲୁଟେରା । ଚଳିତ ମାସରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟର ଚିତ୍ର ସାମ୍ନାକୁ ଆସିଛି । ମାରଣାସ୍ତ୍ରରେ ଆକ୍ରମଣ କରି ଲୋକଙ୍କଠୁ ଲୁଟ କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ଅନ୍ୟପଟେ ସିସିଟିଭି ଫୁଟେଜ ଯାଞ୍ଚ କରି ଲୁଟେରାକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଅକ୍ଟୋବର 6 ତାରିଖ ବିଳମ୍ୱିତ ରାତିରେ ଭୁବନେଶ୍ବର ସ୍ଥିତ ଭରତପୁର ଥାନା ଅନ୍ତର୍ଗତ ତମାଣ୍ଡୋ ସ୍ଥିତ ଓମଫେଡ ପାର୍ଲର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ 3 ଲୁଟେରା ।
ଲୁଟର ଶିକାର ହୋଇଥିବା ଯୁବକ ପ୍ରଦୀପ ମହାନ୍ତି କହିଛନ୍ତି, ‘‘ସୋନପୁରରୁ ବସ ଯୋଗେ ବରମୁଣ୍ଡା ଆସୁଥିଲି । ବରମୁଣ୍ଡାରୁ ଅଟୋ ଯୋଗେ ତମାଣ୍ଡୋ ସ୍ଥିତ ଓମଫେଡ ପାର୍ଲର ନିକଟରେ ଓହ୍ଲାଇ ଘରକୁ ଯାଉଥିବା ବେଳେ ଲୁଟେରାଙ୍କ ଲୁଟର ଶିକାର ହୋଇଥିଲି । ବାଇକରେ ଆସି 3ଜଣ ଲୁଟେରା ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ମୁଁ ତାଙ୍କୁ ବାରଣ କରିବାରୁ ସେ ଗୋଟେ ରାଉଣ୍ଡ ଫାଏରିଂ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ମଧ୍ୟ କରିଥିଲେ । ପରେ ବ୍ୟାଗ ଥିବା 8 ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲା ଲୁଟେରା ।’’
ଏନେଇ ଭରତପୁର ଥାନାରେ ପ୍ରଦୀପ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ବେଳେ ପୋଲିସ ହାତରେ ଏକ ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଯେଉଁଥିରେ ଲୁଟର ପୁରା ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜ ଅନୁଯାୟୀ ଏହି ଲୁଟ ଯୋଜନାରେ 3ଜଣ ଅଭିଯୁକ୍ତ ସାମିଲ ଅଛନ୍ତି । ଜଣେ ବାଇକ ଉପରେ ବସିଥିବା ବେଳେ ଆଉ ଜଣେ ବନ୍ଧୁକ ଦେଖାଇ ଯୁବକଙ୍କ ବ୍ୟାଗ ଛଡାଇ ନେଇଥିଲା । ଯୁବକ ଜଣକ ତାଙ୍କୁ ଆକ୍ରମଣ କରି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଜଣେ ଲୁଟେରା ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ପରେ ଯୁବକ ଜଣକ ବ୍ୟାଗ ଛାଡି ସେଠୁ ପଳାଇ ଯିବାରୁ ବ୍ୟାଗ ମଧ୍ୟରେ ଥିବା 6 ହଜାର ଟଙ୍କା ଲୁଟ କରି ଲୁଟେରା ଫେରାର ହୋଇଯାଇଥିଲେ । ତେବେ ଏହି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ..ମାତିଲେ ଲୁଟେରା, ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ
ଅନ୍ୟପଟେ ଗତ ସେପ୍ଟେମ୍ବର 10 ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ରାଜଧାନୀ ସ୍ଥିତ ଚନ୍ଦକା ଅଞ୍ଚଳରେ ସମାନ ଢଙ୍ଗରେ ଲୁଟପାତ ହୋଇଥିଲା । ଜଣେ ହାଇଓ୍ବା ଡ୍ରାଇଭର ଖୋର୍ଦ୍ଧାରୁ ପଟିଆ ଅଭିମୁଖେ ବଜୁରି ବୋଝେଇ ଗାଡି ଆଣି ଆସୁଥିବା ବେଳେ ନିଛାଟିଆ ଚନ୍ଦକା ଥାନା ଛତାବର ନିକଟରେ ଟ୍ରକ ଆଗରେ ବାଇକ ରଖିଥିଲେ । ଡ୍ରାଇଭର ଜଣକୁ ତଳକୁ ଭିଡିଆଣି ମାଡ ମାରି ବେହୋସ କରି 10 ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ତେବେ ଏନେଇ ବ୍ୟକ୍ତି ଜଣକ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର