ଖୋର୍ଦ୍ଧା: କୋରୋନା ଟୀକାକରଣରେ(Covid-19 Vaccination) ନିୟୋଜିତ ଥିବା ଠିକା କର୍ମଚାରୀଙ୍କୁ ମିଳୁନି ପାରିଶ୍ରମିକ । ଗତ ଡିସେମ୍ବର ମାସରୁ ମିଳୁନି ଦରମା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ COVID-19 ଟିକାକରଣରେ ନିୟୋଜିତ ଥିବା କର୍ମଚାରୀ । ମହାମାରୀ କୋରୋନାକୁ ମାତ୍ ଦେବା ପାଇଁ ସରକାର ଆରମ୍ଭ କରିଥିଲେ ଟୀକାକରଣ କାର୍ଯ୍ୟ ।
ଏହି ଟୀକାକରଣ କାର୍ଯ୍ୟରେ ୧୮ ଜଣ ଠିକା କର୍ମଚାରୀ ସାମିଲ ହୋଇଥିଲେ । ଦିନକୁ 500 ଟଙ୍କା ହିସାବରେ ଠିକା କର୍ମଚାରୀଙ୍କ ପ୍ରାପ୍ୟ ଧାର୍ଯ୍ୟ କରିଥିଲେ NRHM କର୍ତ୍ତୃପକ୍ଷ । ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବା ପରେ ବିଭାଗ ଦେଢ଼ ମାସର ପ୍ରାପ୍ୟ ପ୍ରଦାନ କରିଥିଲା । କିନ୍ତୁ ବଳକା ଅର୍ଥ ପ୍ରଦାନ ନ କରିବା ପ୍ରତିବାଦରେ ଆଜି(ଗୁରୁବାର) ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଟୀକାକରଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ