ଭୁବନେଶ୍ବର: ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ ଓଡ଼ିଶାରେ ପିଏମ୍-ଉଷା ଯୋଜନା କାର୍ଯ୍ୟକାରୀ କରିବା ଲାଗି ସହଯୋଗ କରିବାକୁ ଚିଠିରେ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ପିଏମ ଉଷା ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବୁଝାମଣା ସ୍ୱାକ୍ଷରିତ(ଏମଓୟୁ) କରିବା ଦରକାର । ଏମଓୟୁର ଫର୍ମାଟ୍ ଗତ ବର୍ଷ ଜୁନ୍ ୨୪ ତାରିଖରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇ ସାରିଛି । ପିଏମ୍ -ଉଷା ନିର୍ଦ୍ଦେଶାବଳୀ ଅଧୀନରେ ନିର୍ଦ୍ଧାରିତ ବୁଝାମଣାପତ୍ର ସ୍ବାକ୍ଷର କରିବା ଓଡ଼ିଶା ଭଳି ରାଜ୍ୟ ପାଇଁ ପ୍ରାଥମିକତା ଅଟେ ।
ସୂଚନା ଥାଉକି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)କୁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା) ନାମରେ ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନକୁ ଜାରି ରଖିବା ପାଇଁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୁଦ୍ଧା କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଯୋଜନା ପିଏମ୍ ଉଷାକୁ ଅନୁମୋଦନ ମିଳିଥିବା ବେଳେ ୧୨ ହଜାର ୯୨୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂଆ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ଉନ୍ନତି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି । ବିଶେଷ ଭାବରେ ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ ।
ଏହା ମଧ୍ୟ ପଢନ୍ତୁ: କଲେଜ କ୍ୟାମ୍ପସ ଶୈକ୍ଷିକ ବାତାବରଣ ଖରାପ କରୁଛି ବିଜେଡି ସରକାରର ନୂଆ ଯୋଜନା: ବିଜେପି
ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ଯେ, ଯୋଜନାର ଗାଇଡଲାଇନ ଅନୁସାରେ ପିଏମ ଉଷା ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ବୁଝାମଣା ସ୍ୱାକ୍ଷରିତ(ଏମଓୟୁ) କରିବା ଦରକାର । ଏମଓୟୁର ଫର୍ମାଟ୍ ଗତ ବର୍ଷ ଜୁନ ୨୪ ତାରିଖରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇସାରିଛି । ଏମଓୟୁରେ ପିଏମ ଉଷାର ସଠିକ୍ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ ସମ୍ପର୍କିତ ବିବରଣୀ ପ୍ରଦାନ କରାଯାଇଛି । ମଲଟିପୁଲ ଏଣ୍ଟ୍ରି-ଏକଜିଟ୍, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍, ଏନଏଚଇକ୍ୟୁଏଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଭଳି ସଂସ୍କାର ସହିତ ଯୋଡ଼ି ଓଡ଼ିଶା ରାଜ୍ୟ ଦ୍ୱାରା ପ୍ରସ୍ତାବଗୁଡ଼ିକର ଯୋଜନା ଏବଂ ଡ୍ରାଫ୍ଟ ପ୍ରସ୍ତୁତ କରିବାର କରିବାର ପ୍ରତିବଦ୍ଧତା ଦେଶର ଉଚ୍ଚଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ନୀତି ଏବଂ ଯୋଜନା ମଧ୍ୟରେ ଉତ୍ତମ ସମନ୍ବୟ ଆଣିବ ।
ରୁସାର ପୂର୍ବ ପର୍ଯ୍ୟାୟରେ ଓଡ଼ିଶା ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟରେ ଉଚ୍ଚଶିକ୍ଷାର ଉନ୍ନତି ପାଇଁ ଯୋଜନା ଅନ୍ତର୍ଗତ ଆସିଥିବା ଆର୍ଥିକ ସହାୟତାକୁ ଉପଯୋଗ କରିବାରେ ସଫଳ ହୋଇଛି । ତେବେ ପିଏମ ଉଷାର ନୂତନ ପର୍ଯ୍ୟାୟରେ ଓଡ଼ିଶା ଏ ପର୍ଯ୍ୟନ୍ତ ଏମଓୟୁ ସ୍ବାକ୍ଷର କରିନାହିଁ । ଏହି ଯୋଜନାରେ ଅନୁଦାନ ପାଇବା ପାଇଁ ପ୍ରସ୍ତାବଗୁଡିକର ଦାଖଲ ପ୍ରକ୍ରିୟା ଗତ ବର୍ଷ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇସାରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପିଏମ ଉଷା ଯୋଜନାର କ୍ରିୟାନ୍ୱୟନ ପାଇଁ ସହଯୋଗ ଏବଂ ନିରନ୍ତର ସମର୍ଥନ ଦେବା ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।