ଭୁବନେଶ୍ବର: ବିସ୍ଥାପିତ ହେବାକୁ ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି । ବର୍ତ୍ତମାନ ସୁଦ୍ଧା କୌଣସି ବିସ୍ଥାପିତଙ୍କୁ ମିଳିନାହିଁ ଘରଡିହ ପଟ୍ଟା ଖଣ୍ଡିଏ । ଦୀର୍ଘ ବର୍ଷ ପରେ ବି ଜମି ପଟ୍ଟା ନମିଳିବା ଦୁର୍ଭାଗ୍ୟର ବିଷୟ । ଏହା ହେଉଛି ଅନୁଗୋଳର ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କ ଦୁଃଖ । ଘଟଣାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ବିସ୍ଥାପିତଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ତତ୍ପର ପ୍ରକାଶ କରିବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଥାୟୀ ପଟ୍ଟା ପ୍ରଦାନ କରି ଥଇଥାନ କରିବା ପାଇଁ ସେ ଦାବି କରିଛନ୍ତି । ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।
ଅନୁଗୁଳ ଜିଲ୍ଲାର ପବିତ୍ରନଗର ନୂଆ ବସ୍ତିରେ ଥିବା ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବି । ସେମାନଙ୍କୁ ଥଇଥାନ କରିବାକୁ ଦାବି । ଏହା ସହ ଭୂମି ଅଧିଗ୍ରହଣ ସମୟରେ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦୀର୍ଘ ଦିନରୁ ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କ ପୁନର୍ବାସ ଓ ଥଇଥାନ ଜନିତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ । ୧୯୬୦ ମସିହାରେ ସମାକୋଇ ନଦୀରେ ଆସିଥିବା ବଡ଼ ବନ୍ୟାରେ ପ୍ରଭାବିତ ପରାବିଲ ଗ୍ରାମବାସୀ ପବିତ୍ରନଗର ନୂତନ ବସ୍ତିରେ ବସବାସ କରିଆସୁଛନ୍ତି । ଦୁର୍ଭାଗ୍ୟର କଥା, ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏଯାବତ ଜଣେ ହେଲେ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ଖଣ୍ଡିଏ ମିଳିପାରିନାହିଁ ।
ସେହିପରି ପରାବିଲ ସ୍ଥିତ ରେଳ ଷ୍ଟେସନର ଭୂମି ଅଧିଗ୍ରହଣ ସମୟରେ ଗ୍ରାମର ପାଣିହତା ମଧ୍ୟ ନଷ୍ଟ ହୋଇଯାଇଛି । ଉକ୍ତ ପାଣିହତାଟି ଗ୍ରାମର ଦୁଇଟି ବନ୍ଧ-ମାଷ୍ଟ୍ରବନ୍ଧ ଓ ବଡ଼ ବନ୍ଧର ପାଣିକୁ ସଂଯୋଗ କରୁଥିଲା । ତେଣୁ ଏହାର ପୁନରୁଦ୍ଧାର ଅତି ଜରୁରୀ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ପୁରୁଷ ପୁରୁଷର ଭିଟାମାଟି ହରାଇଥିବା ବିସ୍ଥାପିତ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଓ ନଷ୍ଟ ହୋଇଯାଇଥିବା ପାଣିହତାର ପୁନରୁଦ୍ଧାର ନିମନ୍ତେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । ଏ ଦିଗରେ ସମୟୋଚିତ ପଦକ୍ଷେପ ନେବା ପାଇଁ ସେ ଦାବି କରିଛନ୍ତି । ଏହା ସହିତ ବିସ୍ଥାପିତଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।