ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ ଓ ଅତିରିକ୍ତ ଉଜ୍ଜଳା ହିତାଧିକାରୀ ଯୋଡିବା ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିଷ୍ପତି ମାତୃଶକ୍ତି ତଥା ଦେଶର ମା’ଭଉଣୀଙ୍କୁ ଭାଇ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଉପହାର ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଥିବା ୩୩ କୋଟି ଏଲପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ କରିବା ସଂକ୍ରାନ୍ତୀୟ ନିଷ୍ପତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ସେହିପରି ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି ।
ପୂର୍ବ ସରକାରରେ ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି । ଦେଶରେ ୯ କୋଟି ୬୦ ଲକ୍ଷ ଉଜ୍ଜଳା ଯୋଜନାର ଲାଭାର୍ଥୀ ଥିବାବେଳେ ଆଜିର କ୍ୟାବିନେଟ ନିଷ୍ପତି ଦ୍ବାରା ଉଜ୍ଜଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ । ସାଢେ ୪ ହଜାର କୋଟି ଟଙ୍କା ଭାରତ ସରକାର ଦାୟିତ୍ବ ନେବେ । ଦେଶର ମାତୃଶକ୍ତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । କରୋନା ସମୟରେ ମହିଳାଙ୍କୁ ଜନଧନରେ ୧୫୦୦ ଟଙ୍କା ହେଉ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ, ସ୍ବଚ୍ଛ ଭାରତ ଯୋଜନାରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହେଉ କିମ୍ବା ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ହେଉ, ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧ । ମହିଳା ସଶକ୍ତ ହେଲେ ଦେଶର ଅର୍ଥନୀତି ସଶକ୍ତ ହେବ ଏବଂ ଭାରତର ସମାଜ ସଶକ୍ତ ହେବ ।
ଇଟିଭି ଭାରତ, ଭୁବନେଶ୍ବର