ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ନିବେଦନ କରିଛନ୍ତି । ରାଜ୍ୟର ଜନସାଧାରଣଙ୍କୁ ଅଧିକା ସୁବିଧା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, "ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେକୌଣସି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନରେ ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିବ । ମାତ୍ର ଦୁର୍ଭାଗ୍ୟବଶତଃ ଏହି ଯୋଜନା ଏଠାରେ ତ୍ୱରାନ୍ୱିତ ହେଉନାହିଁ ।" ରାଜ୍ୟ ସରକାର ଏ ବିଷୟ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ଉଚିତ ବୋଲି ପାୱାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଛଅ ହଜାରରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । କେନ୍ଦ୍ର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ରାଜ୍ୟକୁ ୧୩୪୭ କୋଟି ଟଙ୍କା ପ୍ରଦାନ କରିଛି । ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱାସ୍ଥ୍ୟ ଯାଞ୍ଚରେ ଉନ୍ନତି ଆଣିବାକୁ ତଥା ଭିତ୍ତିଭୂମି ବିକାଶ ପାଇଁ ଆଗୁଆ ପ୍ରଯୁକ୍ତି ଉପଯୋଗ ନିମନ୍ତେ ଏହି ସହାୟତା ପ୍ରଦାନ କରାଯାଇଛି ।
ଭାରତ ଜି-୨ଠରେ ସଭାପତି ପଦ ଗ୍ରହଣ କରିବା ଦେଶ ପାଇଁ ଏକ ଗର୍ବର କ୍ଷଣ ବୋଲି ଡକ୍ଟର ପାୱାର କହିଛନ୍ତି । ଭାରତ କୋରୋନା କାଳରେ ଏହି ଶକ୍ତି ପ୍ରଦର୍ଶନ କରିଥିବା ସେ ପ୍ରକାଶ କରିଛନ୍ତି । ପ୍ରଥମେ ପିପିଇ କିଟ୍ ଓ ଅନ୍ୟାନ୍ୟ ଡାକ୍ତରୀ ଉପକରଣ ରପ୍ତାନୀ କରିଛୁ । ଭାରତ ୧୫ଠରୁ ଅଧିକ ଦେଶକୁ ଟିକା ଯୋଗାଇବା ସହ ବିଶ୍ୱ ନେତୃତ୍ୱର ଶକ୍ତି ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ’ର ବାର୍ତ୍ତା ଦେଇଛନ୍ତି । ସେହି ଭାବନାରେ ପ୍ରତ୍ୟେକ ବ୍ୟକ୍ତି ଭାରତକୁ ମଜବୁତ କରିବା ପାଇଁ ନିଜର ଅବଦାନ ଦେବା ଆବଶ୍ୟକ । ଆମେ ବର୍ତ୍ତମାନ ଅମୃତକାଳ ଦେଇ ଗତି କରୁଛୁ । ଦେଶକୁ କିପରି ଆହୁରି ଶକ୍ତିଶାଳୀ କରିବା ସେଥିପାଇଁ ପ୍ରୟାସ କରିବା ଉଚିତ । ସେଥିପାଇଁ ସମ୍ମିଳିତ ଉଦ୍ୟମ ହିଁ ବର୍ତ୍ତମାନ ଆବଶ୍ୟକ ।
‘ଏକ ଭାରତ ସୁସ୍ଥ ଭାରତ’ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷଜ୍ଞଙ୍କ ପ୍ରସ୍ତାବମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ କରାଗଲେ ଏହା ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ ବୋଲି କହିଛନ୍ତି । ପାୱାର ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା ସଂସ୍ଥାନର କାର୍ଯ୍ୟ ସମୀକ୍ଷା କରିଛନ୍ତି । କୋଭିଡ ମହାମାରୀ ସମୟରେ ଅନୁଷ୍ଠାନର କାର୍ଯ୍ୟକୁ ଡକ୍ଟର ଭାରତୀ ପ୍ରବୀଣ ପାୱାର ବିଶେଷ ରୂପେ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର