ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗ ପରେ ଶୋକରେ ବୁଡିଛି ରାଜ୍ୟ । ଦିବଙ୍ଗତ ନେତାଙ୍କ ସମ୍ମାନାର୍ଥେ ରାଜ୍ୟରେ ତିନିଦିନିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରବିବାରଠାରୁ 31 ତାରିଖ ପର୍ଯ୍ୟନ୍ତ ପାଳନ ହେବ ଶୋକ । ନବଙ୍କ ସମ୍ମାନରେ ଅର୍ଦ୍ଧନିମିତ ରହିବ ଜାତୀୟ ପତାକା । ଶେଷକୃତ୍ୟ ସ୍ଥଳରେ ବି ଅର୍ଦ୍ଧନମିତ ରହିବ ଜାତୀୟ ପତାକା ବୋଲି କୁହାଯାଇଛି । ଆସନ୍ତା 3 ଦିନ ପର୍ଯ୍ୟନ୍ତ ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଆଜି(ସୋମବାର) ଝାରସୁଗୁଡାରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ନବଙ୍କ ଅନ୍ତିମ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ରବିବାର ସନ୍ଧ୍ୟାରେ ନବଙ୍କ ଦେହାନ୍ତ ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିଥିଲେ । ପରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଦୁଇ ଜଣିଆ ଡାକ୍ତରୀ ଟିମ୍ ଏହି ପୋଷ୍ଟମର୍ଟମ କରିଥିବା ବେଳେ ଭିଡିଓ ଗ୍ରାଫି ହୋଇଥିଲା । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ମୃତଦେହ ବ୍ୟବଚ୍ଛେଦ ସରିବା ପରେ ମର ଶରୀରକୁ ତାଙ୍କ କର୍ମସ୍ଥଳୀ ବିଧାନସଭା ପରିସରକୁ ଅଣାଯାଇଥିଲା । ଏଠାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଉପ ବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ଓ ବିଧାୟକ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଠାରୁ ରାତିରେ ମର ଶରୀରକୁ ଭୁବନେଶ୍ୱରରେ ଥିବା ନବଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା । ସେଠାରେ ତାଙ୍କ ସହଯୋଗୀ ଓ ସମର୍ଥକ ଶେଷ ଦର୍ଶନ କରିଥିଲେ ।
ଆଜି(ସୋମବାର) ସକାଳ 8ଟାରେ ତାଙ୍କ ମୃତଦେହକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଶ୍ରଦ୍ଧାଞ୍ଜଳି ସରିବା ପରେ ଦିନ 9ଟାରେ ମରଶରୀରକୁ ବିମାନବନ୍ଦର ନିଆଯାଇ ସ୍ୱତନ୍ତ୍ର ଚପର ଯୋଗେ ଝାରସୁଗୁଡ଼ା ନିଆଯିବାର ସମୟ ସ୍ଥିର ହୋଇଛି । ତାଙ୍କ ପୈତୃକ ବାସଭବନରେ ମର ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଓ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଝାରସୁଗୁଡ଼ା ବ୍ରଜରାଜନଗରର ଗାନ୍ଧି ଛକରେ ରବିବାର ଦିନ ପ୍ରାୟ 12ଟା ସମୟରେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା । ଜଣେ ସ୍ଥାନୀୟ ପୋଲିସ ଏଏସଆଇ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ନବଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନବଙ୍କ ଜୀବନ ବଞ୍ଚାଇବା ଲାଗି ଡାକ୍ତରଙ୍କ ବହୁ ଚେଷ୍ଟା ପରେ ବି ବିଫଳ ହୋଇଥିଲେ । ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର