ଭୁବନେଶ୍ବର: ଚର୍ଚ୍ଚାରେ ପାଠୁଆ ଚୋରର ଇଂରାଜୀ ଚିଠି । ପଶ୍ଚାତାପ ପରେ ଚୋରର ମୁଣ୍ଡରେ ବୁଦ୍ଧି ପଶିଛି । ଆଉ ୧୦ବର୍ଷ ପରେ ଚୋରି କରିଥିବା ଭୁଲ ପାଇଁ ପଶ୍ଚାତାପ କରିବା ସହ ଚୋରି କରିଥିବା ଜିନିଷକୁ ପାଉଣା ସହ ମନ୍ଦିରରେ ଫେରାଇଛି । କମିଶନରେଟ ପୋଲିସର ଲିଙ୍ଗରାଜ ଥାନା ଗୋପୀନାଥପୁର ଗାଁର ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଲିଙ୍ଗରାଜ ଥାନା ଗୋପୀନାଥପୁର ଗାଁର ଦେବେସ ଚନ୍ଦ୍ର ମହାନ୍ତି ଘର ବାହାରେ ଏକ ନାଗସାପ ଫଣା ଟେକି ରହିଥିବା ବେଳେ ତା ପାଖରେ ଏକ ନାଲି କପଡ଼ାରେ କିଛି ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ମୁଣ୍ଡିଆ ମାରିବା ପରେ ସାପଟି ପଳାଇଥିଲା । ଏହି କପଡା ଖୋଲି ଦେଖିବାକୁ ପାଇଥିଲେ ୯ବର୍ଷ ତଳେ ଗୋପୀନାଥ ଠାକୁରଙ୍କ ଚୋରି ହୋଇଥିବା ଜିନିଷ । ଏପରିକି ଚୋରି ହୋଇଯାଇଥିବା ଗୋପୀନାଥ ରୂପା ନିର୍ମିତ ମୁକୁଟ, ରୂପା ଆଖି, ବଂଶୀ, ଛତା, ଥାଳି, ଘଣ୍ଟ ସହ ଏକ ଇଂରାଜୀରେ ଲେଖାଥିବା ଏକ ଚିଠି ।
ଏହା ବି ପଢନ୍ତୁ- Fire incident in Puri: ସିଂହଦ୍ବାର ସ୍ଥିତ ଗୁମୁଟ ନିକଟରେ ସର୍ଟସର୍କିଟ
ଆଉ ଚିଠିରେ ଲେଖାଯାଇଛି କିଛି ପଶ୍ଚାତାପ କାହାଣୀ । ଏପରିକି କିଛି ଦକ୍ଷିଣା ସହ ମଧ୍ୟ ତାର ଏପରି ଚୋରି ପାଇଁ ସେ କେତେ ଯେ ବାଧାବିଘ୍ନ ସାମ୍ନା କରିଛି ତା'ର ମଧ୍ୟ ଚିଠିରେ ଉଲ୍ଲେଖ କରିଛି ଚୋର । ଚିଠିରେ ଚୋର ଲେଖିଛି, "ଯଜ୍ଞ ଶାଳରୁ ସିନା ନେଇଗଲି ଠାକୁରଙ୍କ ରୂପା ଅଳଙ୍କାର । ହେଲେ ଏଥିପାଇଁ ତାକୁ ସାମ୍ନା କରିବାକୁ ପଡିଛି ବହୁ ବାଧାବିଘ୍ନ । ଘାତକ ପ୍ରତିଘାତ ସହ ପ୍ରତିଟି ମୁହୂର୍ତ୍ତରେ ଭୟ ଓ ଶଙ୍କାରେ ବିତିଛି ସମୟ । ଆଉ ପାରିଲେନି ନିଜ ଭୁଲକୁ ଲୁଚାଇ । ଶେଷରେ ଠାକୁରଙ୍କ ପାଖରେ କରିଥିବା ଭୁଲର ପଶ୍ଚାତାପ କରିଛି । ଏଣୁ ଚୋରି କରିଥିବା ଜିନିଷ ଛାଡି ଯାଉଛି" ବୋଲି ଲେଖି ୨୦୧୪ ମସିହାରେ ଚୋରି କରିଥିବା ଠାକୁରଙ୍କ ଜିନିଷ ଫେରାଇଛି ।
ଇଂରାଜୀରେ ନାମ ଓ ଠିକଣା ଲେଖି ନଥିବା ଚୋରର ଏପରି ପଶ୍ଚାତାପ ଚିଠି ପାଇ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଠାକୁରଙ୍କ ଜିନିଷ ଫେରିପାଇ ବେସ ଖୁସି ଅନୁଭବ କରିଛନ୍ତି ଗାଁ ଲୋକେ। ସେପଟେ ଗାଁ ଲୋକଙ୍କ କହିବା ଅନୁସାରେ ୯ ବର୍ଷ ତଳେ ଚୋରି ହୋଇଥିଲା ଠାକୂରଙ୍କ ଜିନିଷ । ୨୦୧୪ ମସିହାରେ ଗୋପୀନାଥ ଠାକୁରଙ୍କ ଯଜ୍ଞ ଚାଲିଥିବା ସମୟରେ କେହି ଦୁବୃର୍ତ୍ତ ଠାକୁରଙ୍କ ଅଳଙ୍କାର ଜିନିଷ ନେଇ ଛୁ ମାରିଥିଲା । ଯେଉଁଥିରେ ଥିଲା ଠାକୁରଙ୍କ ଏହି ସବୁ ସାମଗ୍ରୀ । ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।
ହେଲେ ଏବେ ଚୋରି ଜିନିଷ ଫେରିପାଇବା ସବୁ ସେହି ଠାକୁରଙ୍କ କୃପା ବୋଲି କହିଛନ୍ତି ଲୋକେ । ଏପରିକି ଇଂରାଜୀରେ ଚିଠି ପଢ଼ି କହିଛନ୍ତି ପାଠୁଆ ପିଲାଟି ହୋଇଥିବ ନିଶ୍ଚୟ। ନିଜ ଭୁଲ ଜାଣିପାରିଛି ହୁଏତ ଠାକୁର ତାକୁ ଉଚିତ ବାଟ ଦେଖାଇଛନ୍ତି । ସବୁ ସେହି ଠାକୁରଙ୍କ କୃପା ସହ ୯ବର୍ଷ ତଳେ ତାରିଖରେ ଯଜ୍ଞ ହେଉଥିଲା ଏବେ ସେଠାରେ କୋଠା ଘରେ ହେଉଛି ଯଜ୍ଞ । ସବୁ ସେହି ଗୋପୀନାଥଙ୍କ ମହିମା ବୋଲି କହିଛନ୍ତି ଗ୍ରାମବାସୀ । ଏଇ ଘଟଣା ଏବେ ସାରା ଅଞ୍ଚଳରେ ହୋଇଛି ଚର୍ଚ୍ଚା ଓ ଆଲୋଚ୍ୟର ବିଷୟ ।
ଇଟିଭି ଭାରତ, ଭୁବନେଶ୍ବର