ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସ୍ମାର୍ଟ ପଞ୍ଚାୟତ ବୋଲାଉଥିବା କୁମାରଙ୍ଗ ପଞ୍ଚାୟତର ଖୁଣ୍ଟପଲି ଗ୍ରାମର ରାସ୍ତା ସାଜିଛି ମରଣଯନ୍ତା । ଏହି ରାସ୍ତା ଉପରେ ହରିପୁର, ଦଣ୍ଡିଗାଡ଼ିଆ, ମଙ୍ଗଳପୁର, ଚାଷଙ୍ଗରା, କେଶପୁର ଭଳି 10 ଗୋଟି ଗାଁ ନିର୍ଭର କରନ୍ତି l ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ବଜାର ଆଦି ଅନେକ ସ୍ଥାନକୁ ଯାଇଥାନ୍ତି ସ୍ଥାନୀୟ ଲୋକ । କିନ୍ତୁ ଦୀର୍ଘ ଦଶ ବର୍ଷ ହେଲାଣି ପ୍ରଶାସନଙ୍କୁ ଗୁହାରି କରିବା ସତ୍ବେ ଆଜି ଯାଏଁ ହୋଇ ପାରିଲାନି ପକ୍କା ସଡ଼କ ।
ଏହି ଅଞ୍ଚଳର ଅଧିବାସୀଙ୍କର କୌଣସି ଅସୁବିଧା ହେଲେ ଗାଁକୁ ନା ଆସିପାରୁଛି ଆମ୍ବୁଲାନ୍ସ ନା ଦମକଳ ଗାଡି । ଏଠାକାର ଲୋକଙ୍କ କହିବା ଅନୁସାରେ ରାତ୍ରି ସମୟରେ ଏହି ରାସ୍ତା ଦେଇ ଯିବା ଆସିବା କରିବା ମଧ୍ୟ ବେଶ ବିପଦପୂର୍ଣ୍ଣ ହୋଇଥାଏ । ଏ ସମ୍ପର୍କରେ ସ୍ଥାନୀୟ ବିଡ଼ିଓ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଥିବା ବେଳେ କେବେ ପ୍ରଶାସନଙ୍କ ଦୃଷ୍ଟି ପଡୁଛି ଓ ଏହି ରାସ୍ତାର ଅବସ୍ତା ବଦଳୁଛି ତାହା ଦେଖିବାକୁ ବାକି ରହିଲା।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ