ଭୁବନେଶ୍ବର: ଇଡି ସ୍କାନରରେ ବିଜେଡି ବିଧାୟକ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ମନି ଲଣ୍ଡରିଂ ମାମଲାରେ ଶୁକ୍ରବାର ବିଧାୟକ ଇଡିରେ ହାଜର ହୋଇଥିବା ସୂଚନା ମିଳିଛି । ବିଜେଡି ବିଧାୟକ ଇଡି ସ୍କାନରକୁ ଆସିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହେଲାଣି କମ୍ପନ । ୨୦୨୪ ନିର୍ବାଚନକୁ କମ୍ ସମୟ ବାକି ଥିବାବେଳେ ବିଧାୟକ ଇଡିରେ ହାଜର ହୋଇ ଜେରାର ସାମ୍ନା କରିଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ୭ ଘଣ୍ଟା ଧରି ଇଡି କାର୍ଯ୍ୟାଳୟରେ ବସିବା ପରେ ବାହାରିଥିଲେ ବିଧାୟକ । କେଉଁ କାରଣରୁ ସମନ ହୋଇଥିଲା ସେନେଇ ସେ କିଛି କହିନାହାନ୍ତି । ଆଗାମୀ ଦିନରେ ଅଧିକ ତଥ୍ୟ ଦେବି ବୋଲି କହି ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇଯାଇଛନ୍ତି ।
କେଉଁ ମାମଲାରେ ତାଳଚେର ବିଧାୟକ ବ୍ରଜ ପ୍ରଧାନ ଇଡିରେ ହାଜର ହୋଇଥିଲେ ଏବଂ କ'ଣ ଲିଙ୍କ୍ ଖୋଜୁଛି ଇଡି ସେନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କିଛି ଦିନ ପୂର୍ବରୁ ଆୟକର ବିଭାଗ ବିଧାୟକଙ୍କ ବାସଭବନରେ ଛାନଭିନ୍ କରିଥିଲା । ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ସୀମାଦ୍ରୀ ଟ୍ରାନସପୋର୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ଜରିଆରେ ଖଣି ଖନନ ହେଉଥିଲା । ଏହି ଖଣି ଖନନରେ ବ୍ରଜ ପ୍ରଧାନଙ୍କ ଲିଙ୍କ ରହିଥିବା ସନ୍ଦେହରେ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ରେଡ ମାରିଥିଲା । ଭୁବନେଶ୍ବର ଭିଏସଏସ ନଗର ସହ କେନ୍ଦୁଝର, ଯୋଡା, ଅନୁଗୁଳ ସମେତ ବିଭିନ୍ନ ସ୍ଥାନରେ ରେଡ଼ କରିଥିଲା ଇଡି । ଏପରିକି ବିଧାୟକଙ୍କ ଲିଙ୍କ୍ ନେଇ ଆୟକର ବିଭାଗ ମଧ୍ୟ ଛାନଭିନ କରିଥିଲା । ଯାହାକୁ ନେଇ ସେବେଠୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡିର ସ୍କାନରରେ ରହିଥିଲେ ବିଧାୟକ । ଏନେଇ କିଛିଦିନ ତଳେ ମନି ଲଣ୍ଡରିଂ ମାମଲାରେ ବିଧାୟକଙ୍କୁ ସମନ କରିଥିଲା ଇଡି । ଏହି ସମନ ଆଧାରରେ ବିଧାୟକ ଇଡିରେ ହାଜର ହୋଇଥିବା କୁହାଯାଉଛି ।
ନିର୍ବାଚନ ପୂର୍ବରୁ ଅନ୍ୟ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀରେ କିଛି ନେତାଙ୍କୁ ଇଡି ସମନ କରି ପଚରାଉଚରା କରିବାର ନଜିର ରହିଛି । ଅନୁରୂପ ଭାବେ ରାଜ୍ୟରେ ସେହିଭଳି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । କାରଣ ଆଗାମୀ ସାଧାରଣ ନିର୍ବାଚନ ଆଗୁଆ ହେବାକୁ ଥିବା ଶୁଣିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ବିଜେଡିର ଅନେକ ହେବିୱେଟ ଇଡି ସ୍କାନରରେ ରହିଛନ୍ତି । ନିକଟରେ ଅର୍ଚ୍ଚନା ନାଗଠୁ ଆରମ୍ଭ କରି ଖଣି ମାମଲା ଓ ଚିଟଫଣ୍ଡରେ ସମ୍ପୃକ୍ତ ନେତା ମଧ୍ୟ ଇଡିର ସ୍କାନରରେ ରହିଛନ୍ତି । ଏପରିକି ରାଜ୍ୟର ଅନେକ ପ୍ରତିପତ୍ତି ବ୍ୟବସାୟୀ ମଧ୍ୟ ଇଡି ରାଡାରରେ ରହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ତାଳଚେର ବିଧାୟକ ଏକା ନା ଆଉ କାହାର ପାଳି ପଡ଼ୁଛି, ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି ।
ଇଟିଭି ଭାରତ, ଭୁବନେଶ୍ବର