ଖୋର୍ଦ୍ଧା: ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ଗ୍ରାମରେ । ମୃତ ମହିଳା ସୁଜିତ ହାଉଡିଆସିଂଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି । ରବିବାର ମହିଳାଙ୍କ ଶାଶୁଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଶ୍ରଦ୍ଧାଞ୍ଜଳିଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମହିଳାଙ୍କ ଶାଶୁ-ଶ୍ବଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ପଲ୍ଲା ଅଞ୍ଚଳରେ ବାସ କରୁଥିବା ସୁରଥ ହାଉଡିଆସିଂଙ୍କ ପୁଅ ସୁଜିତଙ୍କ ସହିତ ଜୟମଙ୍ଗଳ ଗାଁର ପ୍ରତାପ ରାଉତରାୟଙ୍କ ଏକମାତ୍ର ଝିଅ ଶ୍ରଦ୍ଧାଞ୍ଜଳିଙ୍କ ବର୍ଷକ ତଳେ ବିବାହ ହୋଇଥିଲା । ନିକଟରେ ମହିଳା ନିଜ ବାପାଙ୍କ ଫୋନ କରି ସ୍ବାମୀ ମାଡପିଟ୍ କରୁଥିବା ଜଣାଇଥିଲେ । ତେବେ ରବିବାର ସକାଳେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା କି ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି ।
ଅନ୍ୟପଟେ ଝିଅର ବାପା ଏ ସମ୍ପର୍କରେ ଥାନାରେ ଏତଲା ଦେଇ ତାଙ୍କ ଝିଅଙ୍କୁ ଶାଶୁ, ଶ୍ବଶୁର, ଜ୍ବାଇଁ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଟାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୋଲିସ ଶାଶୁଘର ଲୋକଙ୍କ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ