ଖୋର୍ଦ୍ଧା: ଦିନେ ସ୍କୁଲ କଲେଜରେ ନିଜ ହକିଖେଳରେ ବିଚକ୍ଷଣ ପ୍ରଦର୍ଶନ କରି ଚର୍ଚ୍ଚା ସାଉଁଟିଥିଲେ କିନ୍ତୁ ଆଜି ସାଜିଛନ୍ତି ରାସ୍ତା କଡର ପରିବା ବିକାଳୀ । ଯେଉଁ ହାତ ତାଙ୍କର ହକିଷ୍ଟିକ ଧରି ଖେଳ ପ୍ରଦର୍ଶନ କରୁଥିଲେ, ଆଜି ସେଇ ହାତରେ ନିକିତି ଧରିଛନ୍ତି । ସୁନ୍ଦରଗଡ଼ର ଝିଅ ମହିମାଙ୍କର ଏହି କାହାଣୀ ସମସ୍ତଙ୍କୁ ବ୍ୟଥିତ କରିଦେବ । ପରିବାରର ଆର୍ଥିକ ଅନଟନ ତାଙ୍କୁ ସୁଦୂର ସୁନ୍ଦରଗଡ଼ରୁ ଜଟଣୀ ରେଳ ଷ୍ଟେସନ ରାସ୍ତା କଡ଼ର ପରିବାବିକାଳୀ ସଜେଇ ଦେଇଛି ।
କୋଳରେ ଅଢେଇ ବର୍ଷର କୁନିପୁଅ ଆଉ ହାତରେ ନିକିତି ଧରି ଫୁଟପାଥରେ ବିକ୍ରି କରୁଛନ୍ତି ପରିବା । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ମହିମା ଲାମଗାଙ୍କ ବାପା ମାର୍ଶଲ ଲାମଗା ଥିଲେ ଜଣେ ଭଲ ହକି ଖେଳାଳି । ଆଉ ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ମହିମା ହାତରେ ଧରିଥିଲେ ହକିଷ୍ଟିକ । ଭଲ ଖେଳ ଓ ପଢା ସତ୍ତ୍ବେ ପରିବାରର ଆର୍ଥିକ ଅନଟନ ତାଙ୍କୁ ପରିବା ବିକ୍ରି କରିବାକୁ ବାଧ୍ୟ କରିଛି ।
ନିଜ ସ୍ଵପ୍ନକୁ କବର ଦେଇ ମହିମା ଏବେ ରାସ୍ତାକଡ଼ରେ କୋଳରେ ଧରିଥିବା କୁନି ପୁଅକୁ ବଡ କରିବାକୁ ସ୍ବପ୍ନ ଦେଖୁଛନ୍ତି । ସରକାରୀ ପ୍ରୋତ୍ସାହନ ସହ ସୁଯୋଗ ମିଳିଲେ ଏବେ ବି ପଡିଆକୁ ଓହ୍ଲାଇ ହକିର ଯାଦୁ ପ୍ରଦର୍ଶନ କରିପାରିବେ ବୋଲି ସେ ଦୃଢୋକ୍ତି କରିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା