ଖୋର୍ଦ୍ଧା:ଚାଷୀଙ୍କ ନାମରେ ରିହାତିରେ କିଣା ଯାଉଛି ପାଓ୍ବାର ଟିଲର । ହେଲେ ଚାଷ କାମ ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲାରେ ଥିବା ବେଆଇନ୍ ମାଙ୍କଡ଼ା ପଥର ଖଣିରେ ବ୍ୟବହୃତ ହେଉଛି ଏହି ପାଓ୍ବାର ଟିଲର । ଚାଷୀଙ୍କ ନାମରେ କିଣି ବେଆଇନ ପଥର ଖଣିରେ ନିୟୋଜିତ କରି ମୁନାଫା କମାଇବା ସହ କୋଟି କୋଟି ଟଙ୍କାର ରାଜସ୍ବ ଲୁଟୁଛନ୍ତି ପଥର ମାଫିଆ । ପୂର୍ବରୁ ସଂଖ୍ୟାଧିକ ପାୱାରଟିଲର ବେଆଇନ ଖଣିରୁ ଜବତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିଲା । କିନ୍ତୁ ଏନେଇ ବର୍ତ୍ତମାନ ପ୍ରଶାସନର ନିଦ ଭାଙ୍ଗିଛି ।
ଚାଷୀଙ୍କ ନାମରେ ମଞ୍ଜୁର ହୋଇଥିବା ରିହାତି ପାୱାରଟିଲର୍ ଗୁଡ଼ିକ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ମାନେ ରିହାତିରେ ପାଓ୍ବାର ଟିଲର କିଣି ଖଣି କାର୍ଯ୍ୟରେ ନିୟୋଜିତ କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଆନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ଗୋଟିଏ ପାୱାରଟିଲରର ଦାମ ଦେଢ଼ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କା ଯାଏ ରହିଛି । ମାଙ୍କଡ଼ା ପଥର ଖଣିରେ ବ୍ୟବହୃତ ହେଉଥିବା ପାଓ୍ବାର ଟିଲର ଗୁଡ଼ିକ ଶକ୍ତିଶାଳୀ ହୋଇଥିବାରୁ ସେଗୁଡ଼ିକର ବଜାର ମୂଲ୍ୟ ଦେଢ଼ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ମାତ୍ର ପଥର ମାଫିଆ ମାନେ ଚାଷୀଙ୍କ ନାମରେ ଏହାକୁ କିଣି ବେଆଇନ ପଥର ଖଣିରେ ନିୟୋଜିତ କରି ମୁନାଫା କମାଇବା ସହ କୋଟି କୋଟି ଟଙ୍କାର ରାଜସ୍ବ ଲୂଟ କରୁଛନ୍ତି । ସେପଟେ ଏନେଇ ଜିଲା କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗାଁ ଗାଁ ରେ ଥିବା ଏହି ପାୱାରଟିଲର ଗୁଡିକୁ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର, ବେହେରା ଇଟିଭି ଭାରତ