ଭୁବନେଶ୍ବର: ଆସିଲା କ୍ରାଇମବ୍ରାଞ୍ଚ STFର ବାର୍ଷିକ ରିପୋର୍ଟ କାର୍ଡ । ଯାହାକୁ ନେଇ କ୍ରାଇମବ୍ରାଞ୍ଚର ଅଧିକାରୀଙ୍କୁ ମିଳିଛି ଅନେକ ସଫଳତା ସହ ଅନେକ ପ୍ରଶଂସା । ହେଲେ ସଫଳତା ଭିତରେ ୨୦୨୨ ବର୍ଷ ମଧ୍ୟରେ ଗୋଟିଏ ବି ସେକ୍ସ ରାକେଟ ଠାବ କରିବାରେ STF ବିଫଳ ହୋଇଛି । ତେବେ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ STFର ବାର୍ଷିକ ସଫଳତା ନେଇ ସୂଚନା ଦେଇଛନ୍ତି STF ଏସପି ଓ ଡିଏସ୍ପି ।
STF ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରୁ ମିଳିଥିବା ବାର୍ଷିକ ରିପୋର୍ଟ୍ରେ ପ୍ରଥମ ଥର ପାଇଁ ବେଙ୍ଗଲ ଟାଇଗର ବାଘଛାଲ ଜବତ ଏବଂ ଓଡ଼ିଶାରେ କୋକେନ କାରବାର ଠାବ STF ପାଇଁ ୨୦୨୨ରେ ଥିଲା ସବୁଠୁ ବଡ଼ ସଫଳତା । ଏଥିସହ ୨୦୨୨ରେ ୨୨ କେଜି ବ୍ରାଉନସୁଗାର ଜବତ ସହ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ, ୨୦୨ ଗ୍ରାମ କୋକେନ୍ ଓ ୬୫ ଲକ୍ଷ ନଗଦ ଟଙ୍କା ବିଭିନ୍ନ ଅପରାଧିଙ୍କଠାରୁ ଜବତ ହୋଇଥିଲା । ବନ୍ୟଜନ୍ତୁ ଶିକାର ଓ ବିକ୍ରି ଘଟଣାରେ ୩୧ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୩୪ଟି କଲରାପତରିଆ ବାଘ ଛାଲ, ଗୋଟିଏ ରୟାଲ ବେଙ୍ଗଲ ବାଘ ଛାଲ, ଗୋଟିଏ କଲରାପତରିଆ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୧୪ଟି ହାତୀଦାନ୍ତ, ଦୁଇଟି ବାଘଦାନ୍ତ, ୨୯ଟି କଲରାପତରିଆ ବାଘନଖ ଏବଂ ୪୬ଟି ଜୀବନ୍ତ ଜଙ୍ଗଲୀ ଶୁଆ ଉଦ୍ଧାର ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...୨୦୨୨ରେ ବିବାଦୀୟ କେନ୍ଦ୍ରାପଡା ସାଂସଦ: ବିକାଶ କାମ ଅଧା ଅଧୁରା, ମିଳିନି କୌଣସି ଆଖି ଦୃଶିଆ ସଫଳତା
ସେହିପରି ସଂଗଠିତ ଅପରାଧ ଉପରେ ନଜର ପକାଇ ୧୪ଟି ବନ୍ଧୁକ ସହିତ ୬୦ ଜୀବନ୍ତ ଗୁଳି, ୮ ଟି ମାଗାଜିନ୍ ସହିତ ନକଲି ନୋଟ କାରବାର ଉପରେ ରୋକ ଲଗାଇବାରେ ସଫଳ ହୋଇଥିଲା STF ଟିମ୍ । ୪ଟି କେସରେ ୪୭ ଲକ୍ଷରୁ ଅଧିକ ନକଲି ଟଙ୍କା STF ହାତରେ ଲାଗିଥିବାବେଳେ STF ବହୁ ଦାମୀ କୋଇଲା ଚୋରାଚାଲାଣ ରାକେଟ ଉପରୁ ମଧ୍ୟ ପରଦା ହଟାଇଥିଲା । ଏହି ବର୍ଷ ୩୩୮ ଟନ୍ ଶକ୍ତ କୋଇଲା, ୬୨ ଟନ୍ ସାଧାରଣ କୋଇଲା, ୩୧ ଟନ୍ ଅଷ୍ଟ୍ରେଲିଆ କୋଇଲା ଜବତ କରାଯାଇଛି । ଏହା ସହିତ ଦୁଇଟି ମାମଲା ଆଧାରରେ ୧୯୨୦ ବୋତଲ କଫ ସିରପ୍ ମଧ୍ୟ ଜବତ କରାଯାଇଛି । ୨୦୨୨ ମସିହାରେ STF ଦ୍ବାରା ମୋଟ ୭୫ଟି କେସ ଆଧାରରେ ୧୩୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ରାଜ୍ୟର ଅପରାଧ ଲିଙ୍କ୍ରେ ରାଜ୍ୟ ବାହାରୁ ମଧ୍ୟ ଗିରଫ ହୋଇଛନ୍ତି ଅନେକ ଅପରାଧି । ରାଜସ୍ଥାନର ୨ ଜଣ, ଦିଲ୍ଲୀର ୨ ଜଣ, ପଶ୍ଚିମବଙ୍ଗର ୨ ଜଣ, ମଧ୍ୟପ୍ରଦେଶର ୨ ଜଣ, ମହାରାଷ୍ଟ୍ର ଓ ବିହାରରୁ ୨ ଜଣ ଲେଖାଁଏ ଅପରାଧିଙ୍କୁ ଗିରଫ କରିଥିଲା STF ଟିମ୍ । ପୂର୍ବ ବର୍ଷ ପରି ସେକ୍ସ ରାକେଟ କାରବାର ଠାବ କରିପାରିନାହିଁ କ୍ରାଇମବ୍ରାଞ୍ଚର ଏହି STF ଟିମ୍ । ତେବେ ସର୍ବାଧିକ ୩୮ କ୍ବିଣ୍ଟାଲ ଗଞ୍ଜେଇ ନଷ୍ଟ କରି ୨୦୨୨ରେ କୋର୍ଟଙ୍କ ପ୍ରଶଂସା ସାଉଣ୍ଟିଥିଲା STF ।
ଇଟିଭି ଭାରତ, ଭୁବନେଶ୍ବର