ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମୁକ୍ତାପୁର ଗ୍ରାମ । ଏ ଗାଁର ପ୍ରସ୍ତୁତ କଂସା ବାସନ କଂସାରୀର ପରିଚୟ । କାରଣ ଏଠାକାର କଂସାରୀମାନେ ଗିନି, ଝାଞ୍ଜ, ଘଣ୍ଟ, ପାନ ବଟୁଆ, ବେଲା, ଗିନା ଆଦି କଂସା ପିତ୍ତଳ ସାମଗ୍ରୀ ତିଆରି କରିବାରେ ମାହିର । ହେଲେ ଆଧୁନିକତାର ଚାକଚକ୍ୟରେ କଂସା ପିତ୍ତଳ କାରିଗରଙ୍କ କୁଳବେଉସା ହଜିବାକୁ ବସିଲାଣି । ଅନ୍ୟପଟେ ସରକାରଙ୍କର ପ୍ରୋତ୍ସାହନ ମିଳୁନଥିବାରୁ ନିଜର କୌଳିକ ବୃତ୍ତି ଛାଡିବାକୁ ବାଧ୍ୟ ହେଲେଣି କାରିଗର । ବର୍ତ୍ତମାନ ସମୟରେ କଞ୍ଚାମାଲ ସମସ୍ୟା କାରିଗରଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।
ଆଧୁନିକ ଯୁଗରେ ପ୍ଲାଷ୍ଟିକ ଓ ଷ୍ଟିଲରେ ପ୍ରସ୍ତୁତ ଘରକରଣା ସାମଗ୍ରୀର ବହୁଳ ବ୍ୟବହାର ଯୋଗୁ କଂସା ପିତ୍ତଳ ସାମଗ୍ରୀର ଚାହିଦା କମିବାରେ ଲାଗିଛି । କାଁ ଭାଁ ଲୋକଙ୍କ ବରାଦ ମିଳିଲେ କଂସା କାମ କରି ନିଜର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡିଛି । ପୂର୍ବରୁ ମୁକ୍ତାପୁର ଗ୍ରାମରେ ଶହେରୁ ଊର୍ଦ୍ଧ୍ବ ପରିବାର କଂସା ପିତ୍ତଳ କାମ କରି ନିଜ କୁଟୁମ୍ବ ପୋଷୁଥିଲେ । ବର୍ତ୍ତମାନ ସମୟରେ ଚାହିଦା କମିବାରୁ ମାତ୍ର ଚାରୋଟି ପରିବାର ନିଜ କୌଳିକ ବୃତ୍ତିକୁ ଜାବୁଡ଼ି ଧରି ଜୀଉଁଛନ୍ତି । ହେଲେ ଏହି ବୃତ୍ତିରୁ ଉପାର୍ଜିତ ଅର୍ଥ ପରିବାର ଭରଣପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ।
ଏବେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛନ୍ତି ଏହି କଂସାରି ପରିବାର । ସେଥିମଧ୍ୟରୁ ଅଧିକାଂଶ କାରିଗର ନିଜର ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି । ତେବେ ସରକାରଙ୍କର କଂସାରିଙ୍କ ପ୍ରତି ଅବହେଳା ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି କାରିଗର । ସମୟର ତାଳେ ତାଳେ ବୁଡିବାକୁ ବସିଛି କଂସା ପିତ୍ତଳ ସାମଗ୍ରୀ ଓ ଦୁର୍ଦ୍ଦିନରେ ଗତି କରୁଛି କାରିଗର । ତେବେ ସରକାର ଏହାର ପୁନରୁଦ୍ଧାର ପାଇଁ ଯଥା ସମ୍ଭବ ପ୍ରୟାସ କରିବା ନିହାତି ଆବଶ୍ୟକ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ