ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ କୁମ୍ଭାର ମହାସଂଘର ରଣହୁଙ୍କାର । ୬ ଦଫା ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଲା ସଂଘ । ମାଟିକଳା ବୋର୍ଡ ଗଠନ, କୁମ୍ଭାରଜାତି ମାଟି କାରିଗରଙ୍କୁ କାରିଗର ମାନ୍ୟତା, କାରିଗରୀ ଭତ୍ତା ଘୋଷଣା ଭଳି ପ୍ରମୁଖ ଦାବି ପୂରଣ ନେଇ ଆନ୍ଦୋଳନ ଜୋରଦାର ହୋଇଛି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ।
ବିଧାନସଭା ଅଧିବେଶନ ଜାରି ରହିଥିବା ବେଳେ ୬ ଦଫା ଦାବି ନେଇ ଭୁବନେଶ୍ବର ଗାନ୍ଧୀମାର୍ଗରେ ବିଶାଳ ଆନ୍ଦୋଳନ କରିଛି ରାଜ୍ୟ କୁମ୍ଭାର ମହାସଂଘ । ଗୁରୁବାର ଦିନ ବିଶାଳ ଶୋଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟ ସରକାରଙ୍କୁ ନିଜର ଦାବି ଜଣାଇଛି । ତେବେ କୁମ୍ଭାର ଜାତି ଅଭିଯୋଗ ଅନୁଯାୟୀ, ଭାରତ ସ୍ୱାଧୀନତାର ୭୨ ବର୍ଷ ଧରି କୁମ୍ଭାର ଜାତି ସେବା ଯୋଗାଇଆସୁଥିବା ବେଳେ ଆଜିବି ମୌଳିକ ଅଧିକାରରୁ ସେମାନେ ବଞ୍ଚିତ ହୋଇ ରହିଛନ୍ତି । ମାଟି ପାତ୍ର, ମାଟି ହାଣ୍ଡି, ମାଠିଆ ଆଦି ପୂଜା ସାମଗ୍ରୀ ଠାରୁ ଆରମ୍ଭ କରି ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ସମାଜର ସେବା କରୁଛନ୍ତି । ଗାଁ ଠାକୁରାଣୀଙ୍କଠାରୁ ଆରମ୍ଭ କରି ପୂଜା ପାର୍ବଣ ଶ୍ରୀ ଜଗନାଥଙ୍କ ସେବାରେ ଆମ ହାତ ତିଆରି ସାମଗ୍ରୀ ଲାଗି ହେଉଛି । ହେଲେ ବର୍ତ୍ତମାନ ବିଜ୍ଞାନର ଓ ଆଧୁନିକତାର ଆକ୍ରମଣ ଯୋଗୁ କଂସା ପିତଳ ଓ ଷ୍ଟିଲର ବ୍ୟବହାର ବଢ଼ି ଚାଲିଛି ଓ ମାଟିର ଆଦର କମିଛି । ବିକ୍ରି କମିବା ସହ କୌଳିକ ବୃତ୍ତି ଲୋପ ପାଉଛି ଯେଉଁଥିପାଇଁ ବ୍ୟବସାୟ ମଧ୍ୟ କମି କମି ଯାଉଛି ବୋଲି କହିଛନ୍ତି କୁମ୍ଭାର ମହାସଂଘ ସଦସ୍ୟ । କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିବା କୁମ୍ଭାର ମହାସଂଘ, ରାଜ୍ୟ ସରକାରଙ୍କୁ ଦାବି ଶୁଣିବା ପାଇଁ ନିବେଦନ କରିଛି ।
ଏହାମଧ୍ୟ ପଢନ୍ତୁ..ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ
ଅନ୍ୟପଟେ କୌଳିକ ବୃତିକୁ ବଞ୍ଚାଇ ରଖିବା ପାଇଁ ମୁଖ୍ୟତଃ ବିକ୍ରି କମିଥିବା ବେଳେ ସାମଗ୍ରୀ ପ୍ରସ୍ତୁତ ପାଇଁ ମାଟି ମିଳୁନଥିବା କହିଛି ସଂଘ । ଏହାକୁ ନେଇ ବର୍ତ୍ତମାନ କୁମ୍ଭାର ସମ୍ପ୍ରଦାୟର ଲୋକେ ହାତବାନ୍ଧି ବସିଛନ୍ତି । ୬୦ ପ୍ରତିଶତ କୁମ୍ଭାର ଯୁବକ ବେରୋଜଗାର ହୋଇ ବୁଲୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଯଦି ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଅଧିକାରକୁ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଛି ସଂଘ ।
ସେପଟେ ମାଟିକଳା ବୋର୍ଡ ଗଠନ, କୁମ୍ଭାରଜାତି ମାଟି କାରିଗରଙ୍କୁ କାରିଗର ମାନ୍ୟତା, କାରିଗରୀ ଭତ୍ତା ଘୋଷଣା କରିବା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ସଂରକ୍ଷଣ, କୁମ୍ଭାର କାରିଗର ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଭଳି ଦାବିଗୁଡିକ ଉପସ୍ଥାପନା କରିଛି ସଂଘ ।
ପ୍ରକାଶ ଥାଉକି, ବର୍ତ୍ତମାନ ରାଜ୍ୟରେ ବର୍ତ୍ତମାନ ରାଜ୍ୟରେ ୩୦ ଲକ୍ଷ କୁମ୍ଭାର ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ତେଣୁ ନିଜର ଦାବି ସହ ଏହି ସମ୍ପ୍ରଦାୟର ଭାଗ୍ୟ ଓ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ ସରକାର ଦାବି ଗୁଡ଼ିକୁ ବିଚାର କରନ୍ତୁ ବୋଲି କହିଛି କୁମ୍ଭାର ମହାସଂଘ ।
ଇଟିଭି ଭାରତ, ଭୁବନେଶ୍ବର