ଭୁବନେଶ୍ବର: ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ପିଲାଙ୍କ ମୁହଁରେ ଫୁଟିବ ହସ । ଏଭଳି କିଛି ନିଆରା ଭାବନା ସହ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ ୨୦୨୨ । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପରିବେଶ ଭେଟି ଦେଇଛି ଏହି ମହୋତ୍ସବ । ଏହି ମହୋତ୍ସବ ଆସର ଭୁବନେଶ୍ୱର ୟୁନିଟ୍ ୩ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।
ତେବେ ଭୁବନେଶ୍ୱରରେ ଆୟୋଜିତ ମହୋତ୍ସବରେ ଯୋଗ ଦେଇଛନ୍ତି ୨ହଜାର ୫ଶହ ଛାତ୍ରଛାତ୍ରୀ । କୁନିକୁନି ପାଦରେ ନୃତ୍ୟର ଛନ୍ଦ । ଠୋଠୋ ହସରେ ପ୍ରକମ୍ପିତ ପରିବେଶ । କାହାକୁ ଦେଖା ଯାଉନି ତ ଆଉ କାହାକୁ ଶୁଣା ଯାଉନାହିଁ । କେହି କେହି କଥା କହି ପାରୁ ନାହାନ୍ତି । ଠାରରେ ମନ କଥାର ଆଦାନ ପ୍ରଦାନ । ତଥାପି ସେମାନେ ଜୀବନକୁ ଉପଭୋଗ କରିବାକୁ ଭୁଲି ନାହାଁନ୍ତି । ନାଚି ଗାଇ ସାଙ୍ଗସାଥୀଙ୍କ ଗହଳିରେ ଭଳିକି ଭଳି ନୃତ୍ୟ ପୋଷାକ ପିନ୍ଧି ଢେର୍ ଖୁସି ସଭିଏଁ ।
ଅନ୍ୟପଟେ ଏଥିରେ ଏକାଠି ହୋଇଥିଲେ ସାରା ଓଡିଶାରୁ ୨୨ଜିଲ୍ଲାରୁ ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ । ସଭିଙ୍କ ମୁହଁରେ ହସ ଫୁଟାଇବା ଆୟୋଜକଙ୍କ ଲକ୍ଷ୍ୟ ରହିଥିବା ବେଳେ ନିଜର ଅନେକ ପ୍ରିୟ ସେଲିବ୍ରେଟିକୁ ପାଖରେ ପାଇ ଛାତ୍ରଛାତ୍ରୀ ବେଶ୍ ଖୁସି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରି ସେମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରାଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପରିବେଶ ଭେଟି ଦେଇଛି ଏହି ମହୋତ୍ସବ । ସାଧାରଣ ମଣିଷଟିଏ ଭଳି ଦିବ୍ୟାଙ୍ଗମାନେ ମଧ୍ୟ ସ୍ୱତନ୍ତ୍ର । ପାଠ ପଢି ବଡ ମଣିଷ ହେବା ସେମାନଙ୍କର ବି ସ୍ୱପ୍ନ ଥିବା ବେଳେ ଟିକିଏ ଶ୍ରଦ୍ଧା ଓ ସ୍ନେହ ଲୋଡି ଥାଆନ୍ତି ଏହି କୋମଳମତି ଶିଶୁ ।
ଇଟିଭି ଭାରତ , ଭୁବନେଶ୍ବର