ଭୁବନେଶ୍ବର: ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ନିର୍ଦ୍ଧାରିତ ହୋଇଛି ସମୟ ସାରଣୀ । ଚଳିତ ମେ ମାସ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିର୍ଦ୍ଧାରିତ ସମୟ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବା ପାଇଁ ସୂଚନା ଦିଆଯାଇଛି । ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଠା ଯାଇଛି ।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪୭ଟି ହସ୍ପିଟାଲ ୫ଟି ଢାଞ୍ଚାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପର ତ୍ୱରିତ କାର୍ଯ୍ୟ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ଜିଲ୍ଲାସ୍ତରୀୟ କମିଟିକୁ ପୂର୍ଣ୍ଣକ୍ଷମତା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି । ଏଥିସହ ହସ୍ପିଟାଲ ରୂପାନ୍ତରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି କରାଯାଇଛି । ଏଷ୍ଟିମେଟ ପ୍ରସ୍ତୁତି, ଅନୁମୋଦନ ଏବଂ ସଂସ୍ଥା ଚୟନ ପାଇଁ ମଧ୍ୟ ଜିଲ୍ଲାସ୍ତରୀୟ କମିଟିକୁ କ୍ଷମତା ପ୍ରଦାନ କରାଯାଇଛି ।
ଏନେଇ ଜିଲ୍ଲା ପୋଲିସ ଅଧିକ୍ଷକ, ସଂପୃକ୍ତ ସହରାଞ୍ଚଳ କମିଶନର ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟବାହୀ ଯନ୍ତ୍ରୀ, ପାନୀୟଜଳ ଯୋଗାଣ ଯନ୍ତ୍ରୀ ସଂପୃକ୍ତ ବିଡିଓ, ମେଡିକାଲ ଅଫିସର, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳନ ଆଦି ଅଧିକାରୀଙ୍କୁ ଏହି କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲାସ୍ତରୀୟ କମିଟିର ଆବାହକ ଭାବରେ ଦାୟିତ୍ୱ ସମ୍ପାଦନ କରିବା ସହ ତେବେ ଏହାର ପ୍ରଥମ ପର୍ଯ୍ୟାୟ ପୂପାନ୍ତରଣ କାମ ଚଳିତ ବର୍ଷ ଅକ୍ଟୋବର ମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ପ୍ରକାଶ ଥାଉକି,ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋରନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ନବରଙ୍ଗପୁର ମାଲକାନଗିରି ଗସ୍ତ କରି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ରାଜ୍ୟରେ ଆଜି ୪୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ସକ୍ରିୟ କୋରୋନା ଆକ୍ରାନ୍ତ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଦିନକରେ ସୁସ୍ଥ ହୋଇଛନ୍ତି ୧୯୭ କରୋନା ଆକ୍ରାନ୍ତ ।
ଇଟିଭି ଭାରତ, ଭୁବନେଶ୍ବର