ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି ବଜ୍ରପାତଜନିତ ଦୁର୍ଘଟଣା । ଏଥିରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବଜ୍ରପାତଜନିତ ଦୁର୍ଘଟଣା କିପରି ରୋକ ଲାଗି ଏନେଇ ତତ୍ପରତା ପ୍ରକାଶ ପାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି(ରବିବାର) ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅତିରିକ୍ତ ରିଲିଫ୍ କମିଶନର ଡ. ଜ୍ଞାନ ଦାସ ଓ ଯୁଗ୍ମ ରିଲିଫ କମିଶନର ପଦ୍ମନାଭ ବେହେରା ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଯୋଗ ଦେଇଛନ୍ତି । ବଜ୍ରପାତ, ବିଜୁଳି ଓ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିପାରୁଛି । ଏହି ସତର୍କ ସୂଚନା ସମସ୍ତ ଜିଲ୍ଲାପାଳମାନଙ୍କୁ ଇମେଲ ଓ ହ୍ୱାଟସଆପ ମାଧ୍ୟମରେ ଆଗୁଆ ଅବଗତ କରାଯାଉଛି । ବିଭିନ୍ନ ଜିଲ୍ଲାରୁ ବଜ୍ରପାତଜନିତ ଦୁର୍ଘଟଣାର ଖବର ଆସୁଥିବାବେଳେ ସେ ସଂପର୍କରେ ସତର୍କ ସୂଚନା ପାଇବା ମାତ୍ରେ ତୁରନ୍ତ ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏ ବାବଦରେ ଅବଗତ ହୋଇପାରିଲେ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ । ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳଙ୍କୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜରପଡା ଷ୍ଟେସନ ନିକଟରେ ହାତୀ ମୃତ୍ୟୁ ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲା ପୂର୍ବତଟ ରେଳପଥ
ବଜ୍ରପାତ ପ୍ରାୟତଃ ଦିନ ୨ଟାରୁ ରାତି ୯ଟା ମଧ୍ୟରେ ସଂଗଠିତ ହେଉଛି । ମୁଖ୍ୟତଃ କୃଷକ, କୃଷିକାର୍ଯ୍ୟରେ ଜଡ଼ିତ ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଉଥିବା ଲୋକମାନେ ବିଶେଷ ଭାବେ ଏହି ଦୁର୍ଘଟଣାର ଶିକାର ହେଉଛନ୍ତି । ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ଯେ, "ଏହିଭଳି ଅବସ୍ଥା ଆଗାମୀ କିଛିଦିନ ପର୍ଯ୍ୟନ୍ତ ଲାଗି ରହିପାରେ । ଏହି ସମୟ ମଧ୍ୟରେ ବାହାରେ ରହୁଥିବା ଲୋକମାନେ ନିରାପଦ ସ୍ଥାନରେ ଆଶ୍ରୟ ନିଅନ୍ତୁ ।" ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଖବରକାଗଜ ଓ ଟିଭି ମାଧ୍ୟମରେ ସତର୍କ ସୂଚନା ଜାରି କରାଯିବ । ବଜ୍ରପାତ ସମୟରେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ । ସେ ସଂପର୍କରେ ସମସ୍ତ ଜିଲ୍ଲାପାଳମାନଙ୍କ ମାଧ୍ୟମରେ ଏହାର ପ୍ରଚାର ପ୍ରସାର କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର