ପୁରୀ: ବଡ଼ଦାଣ୍ଡରେ ନିର୍ମାଣ ହେବ ଟନେଲ୍ ସଦୃଶ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ (AC shed pathway) । ପ୍ରଥମ ପର୍ଯ୍ୟାୟରେ ବଡ଼ଦାଣ୍ଡର ଶନି ମନ୍ଦିର ଗଳି ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍ ଗଳି ଯାଏଁ ରାସ୍ତାର ଗୋଟିଏ ପାର୍ଶ୍ବରେ ଏହି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ ନିର୍ମାଣ ହେବ । ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଏହି ସେଡ୍ ପାଥ୍ ୱେରେ କିଛି ସମୟ ବିଶ୍ରାମ ନେଇପାରିବେ । ଫଳରେ ପ୍ରବଳ ଗୁଳୁଗୁଳି ଗରମରୁ ଭକ୍ତମାନେ ରକ୍ଷା ପାଇପାରିବେ । ହେଲେ ଅନ୍ୟପଟେ ଏହି ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହି ଏସି ଟନେଲ୍ ନିର୍ମାଣ ଆଳରେ କିଛି ଅସାଧୁ ଅଫିସର ଓ ଠିକାଦାର ଅର୍ଥ ହରିଲୁଟ କରିବେ ବୋଲି ସମାଜସେବୀ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।
ଦିଲ୍ଲୀପ ଅଭିଯୋଗ କରିଛନ୍ତି, "ଗତ ୨୦୦୨ ମସିହାରୁ ବଡ଼ଦାଣ୍ଡ ଜାତୀୟ ରାଜପଥର ମାନ୍ୟତା ପାଇଛି । ନିୟମ ଅନୁଯାୟୀ ଜାତୀୟ ରାଜପଥ ଉପରେ କୌଣସି ସ୍ଥାୟୀ ହେଉ ବା ଅସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ । ଏହାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣଦେଖା କରି ବେଆଇନ ଭାବେ ଏସି ଟନେଲ୍ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି । ଏହାଦ୍ବାରା ପ୍ରତି ବର୍ଷ କେବଳ ବିପୁଳ ଅର୍ଥ ଖର୍ଚ୍ଚ ହେବ । କୌଣସି ଭକ୍ତ ଏହାଦ୍ବାରା ଲାଭ ପାଇବେ ନାହିଁ । ପ୍ରତିବର୍ଷ ରଥଯାତ୍ରାରେ ଏହାକୁ ଖୋଲିବା ଓ ପରେ ଯୋଡିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ଏହା ବଡ଼ଦାଣ୍ଡକୁ ଅବରୋଧ କରିବା ସହ ଶ୍ରୀମନ୍ଦିର ଚାରି ପାଖରେ ରହିଥିବ ସାହି ବାସିନ୍ଦା ସବୁଦିନିଆ ଯାତାୟତରେ ବେଶ ଅସୁବିଧା ଭୋଗିବେ । ପୂର୍ବରୁ ବଡ଼ଦାଣ୍ଡରେ ଏକ ଅସ୍ଥାୟୀ ବାରିକେଡ ନିର୍ମାଣ କରି ଏହାର କାର୍ଯ୍ୟକାରିତା ବିଫଳ ହେବାପରେ ଏହାକୁ ଖୋଲା ଯାଇଛି । ସେଥିରେ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ ହୋଇଛି ।" ତେଣୁ ପ୍ରଶାସନ ଅସ୍ଥାୟୀ ଏସି ଟନେଲ୍ ନିର୍ମାଣରୁ ନଓହୋରିଲେ ସେ ଆଇନଗତ ଲଢ଼େଇ ପାଇଁ କୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ସୂଚନା ଅଧିକାର କର୍ମୀ ଦିଲ୍ଲୀପ ବରାଳ ଚେତାବନୀ ଦେଇଛନ୍ତି ।
ସେପଟେ ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ମଧ୍ୟ ଏହି ବେଆଇନ ପ୍ରକଳ୍ପକୁ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ଚାରିଦ୍ବାର ନଖୋଲିବା ନେଇ ଗତ ୨୦୧୯ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବାରୁ ଏବେ ପ୍ରଶାସନ ଏସି ଟନେଲ୍ ଯୋଜନା କରିଥିବା ଶରତ ରାୟଗୁରୁ ଅଭିଯୋଗ କରିଛନ୍ତି । ଜାତୀୟ ରାଜପଥ ମାନ୍ୟତା ପାଇଥିବା ବଡ଼ଦାଣ୍ଡରେ ଅସ୍ଥାୟୀ ନିର୍ମାଣ ବେଆଇନ ବୋଲି ବରିଷ୍ଠ ଆଇନଜୀବୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପୂର୍ବରୁ ଅସ୍ଥାୟୀ ବାରିକେଡ ଖୋଲିବା, ପୁନଃ ଲଗାଇବାରେ ଲକ୍ଷ ଲକ୍ଷ ଟଙ୍କା, ଠିକାଦାର ଓ ପ୍ରଶାସନ ଅଧିକାରୀ ମିଳିମିଶି ଲୁଟିଛନ୍ତି । ଏବେ ପୁଣି ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ଏସି ଟନେଲ୍ ଯୋଜନା ହୋଇଛି ।"
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସ୍ତୁତି, ଯଜ୍ଞସ୍ଥାନ ହେଲା ଚିହ୍ନଟ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବାକୁ ଥିବାବେଳେ ଏହାପୂର୍ବରୁ ଏହି ଶୀତତାପ ନିୟନ୍ତ୍ରିତ ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଶ୍ରୀସେତୁ ନିକଟରେ ଥଇଥାନ କରାଯିବ । ବିଭିନ୍ନ ପର୍ବପର୍ବାଣୀ ସମୟରେ ବଡ଼ଦଣ୍ଡର ମାର୍କେଟ ଛକଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ମାଳ ମାଳ ଉଠା ଦୋକାନୀ ରାସ୍ତା ଉପରେ ବସିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଫଳରେ ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନେ ଯିବା ଆସିବା ନେଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ବିଭିନ୍ନ ପର୍ବପର୍ବାଣିରେ ଉଠା ଦୋକାନୀଙ୍କୁ ଦୋକାନ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଉଥିବାରୁ ଅନେକ ସମୟରେ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଉଠା ଦୋକାନୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏଣୁ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଶ୍ରୀସେତୁଠାରୁ ମଙ୍ଗଳାଘାଟ ପର୍ଯ୍ୟନ୍ତ ସ୍ଥାନରେ ଥଇଥାନ କରାଗଲେ ଉଠା ଦୋକାନୀମାନେ ଉପକୃତ ହୋଇପାରିବେ । ବଡ଼ଦାଣ୍ଡରେ ଗହଳି କମିବା ସହ ଭକ୍ତମାନଙ୍କ ଯିବା ଆସିବାରେ ମଧ୍ୟ କୌଣସି ବାଧା ସୃଷ୍ଟି ହେବ ନାହିଁ ।
ଇଟିଭି ଭାରତ, ପୁରୀ