ଭୁବନେଶ୍ବର: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ନୂଆ ଦାୟିତ୍ବ । ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେଲେ ସ୍ମୃତି ରଞ୍ଜନ । ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣା ଆଲାଭାରୁ ଓ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଭି ଶ୍ରୀନିବାସନ ତାଙ୍କୁ ଏହି ଗୁରୁଦାୟିତ୍ବ ଦେଇଛନ୍ତି । ଏହାସହ ତାଙ୍କୁ ଉତ୍ତରପୂର୍ବ ରାଜ୍ୟ ଆସାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ସ୍ମୃତି ରଞ୍ଜନ ଲେଙ୍କା ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ୨୦୨୦ ଜୁନ ମାସ ଠାରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି । ସେ ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି, ସରକାରୀ ନିଯୁକ୍ତି ଆବେଦନ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି, ଟାଟା କମ୍ପାନୀ ଦ୍ବାରା ଛଟେଇ କର୍ମଚାରୀଙ୍କ ହକ୍ ପାଇଁ ଲଢ଼େଇ, ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବୃତ୍ତି ରାଶିକୁ ପୁନଃପ୍ରଦାନ ଆଦି ରାଜ୍ୟର ଯୁବକମାନଙ୍କର ବହୁ ସମସ୍ୟା ନେଇ ଲଢ଼େଇ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ।
ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସ୍ମୃତି ରଞ୍ଜନ ରାଜ୍ୟ ସଭାପତି ଭାବେ ଦାୟିତ୍ବ ତୁଲାଇବେ ବୋଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଛି । ନୂଆ ଦାୟିତ୍ବ ମିଳିବା ପରେ ସ୍ମୃତି ରଞ୍ଜନ ପ୍ରତିକ୍ରିୟା ଦେଇଛନ୍ତି ଯେ, ଦେଶରେ ବଢୁଥିବା ବେରୋଜଗାର, ସାମ୍ପ୍ରଦାୟିକ ସଂହତି ବ୍ୟାଘାତ ବିଶେଷକରି ଉତ୍ତର-ପୂର୍ବ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅପାରଗତା କାରଣରୁ ବଢୁଥିବା ହିଂସା ନିଶ୍ଚିତ ଭାବେ ଚିନ୍ତାଦାୟକ । ଏହା ବିରୁଦ୍ଧରେ ଲଢ଼େଇ ଜୋରଦାର କରାଯିବ । ତେବେ ଖୁବଶୀଘ୍ର ଯୁବ କଂଗ୍ରେସ ସଭାପତି ନାମ ଘୋଷଣା ହେବ । ଏଥିପାଇଁ ପୂର୍ବରୁ ନିର୍ବାଚନ ଶେଷ ହୋଇଛି ।
ସ୍ମୃତି ରଞ୍ଜନ 2020 ଜୁନରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଭାପତି ରହିଛନ୍ତି । ବର୍ତ୍ତମାନ ମଣିପୁରରେ ହିଂସା ତେଜିବାରେ ଲାଗିଥିବା ବେଳେ କଂଗ୍ରେସ ପକ୍ଷରୁ ତାଙ୍କୁ ଅନ୍ୟ ଦୁଇଟି ପୂର୍ବୋତ୍ତର ରାଜ୍ୟ ଆସାମ ଓ ମେଘାଳୟର ପ୍ରଭାରୀ ଦାୟିତ୍ବ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର