ଭୁବନେଶ୍ବର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ହକି ବିଶ୍ବକପ । ଏହାପୂର୍ବରୁ ରାଜଧାନୀରେ ସୌନ୍ଦର୍ଯ୍ୟକରଣ ଉପରେ ବେଶ ଗୁରୁତ୍ବ ଦିଆଯାଉଛି । ସହରକୁ ସୁନ୍ଦର କରିବା ଆଳରେ ଦେହଜୀବୀଙ୍କ ଘର ଭାଙ୍ଗି ଦେଇଛି ବିଏମସି । ଫଳରେ ବେଘର ହୋଇ ରାସ୍ତା କଡ ଖୋଲା ଆକାଶ ତଳେ ପଡି ରହିଛନ୍ତି ଦେହଜୀବୀ । ରସୁଲଗଡ଼ ବାଣୀବିହାର ମୁଖ୍ୟ ଜାତୀୟ ରାଜପଥ କଡରେ ବସି ରହିଛନ୍ତି ଦେହଜୀବୀ । ବାଣୀବିହାର ଦେହଜୀବୀ ବସ୍ତି ଉଚ୍ଛେଦ କରିବା ପରେ ଏବେ ରାସ୍ତାରେ ଫ୍ଲାଗକାର୍ଡ ଧରି ବସିଛନ୍ତି ସେମାନେ । ଖେଳ ବାଟରେ ଖେଳ ଥାଉ ଆମ ଘର ଆମର ହେଉ ବୋଲି କହିଛନ୍ତି ଏମାନେ ।
ସୌନ୍ଦର୍ଯ୍ୟକରଣ ପାଇଁ ଦେହଜୀବୀଙ୍କ ଘର ବିଏମସି ତରଫରୁ ଦୀର୍ଘ ଦିନ ହେଲା ଉଚ୍ଛେଦ କରାଯାଇଛି । ରାସ୍ତା କ଼ଡରେ ବସିରହିଥିଲେ ମଧ୍ୟ ଏମାନଙ୍କୁ ଆଃ କରିବାକୁ କେହି ନାହାନ୍ତି । ଏଠାରେ ଦୀର୍ଘ ବର୍ଷ ହେଲା ରହିଆସୁଥିବା ଦେହଜୀବୀ ମାନେ କୁହନ୍ତି ଏଠାରେ ଭୋଟର କାର୍ଡ ଆଧାର କାର୍ଡ ଏବଂ ରାସନ କାର୍ଡ ମଧ୍ୟ ରହିଛି । ରାଜଧାନୀରେ ହକି ବିଶ୍ଵକପ ଆୟୋଜନ ପାଇଁ ସବୁ ଘର ଭଙ୍ଗି ଦେଇଛନ୍ତି । ଆଗୁଆ ନୋଟିସ୍ ନଦେଇ ଘର ସବୁ ବିଏମସି ଭାଙ୍ଗିଥିବା ସେମାନେ ଅଭିଯୋଗ ଆଣିଛନ୍ତି ।
ବାଣୀବିହାର ଦେହଜୀବୀ ବସ୍ତିରେ ପ୍ରାୟ ୫୦ ଜଣ ରହୁଥିବା ବେଳେ ଏବେ ବିନା ନୋଟିସର ଘର ଭାଙ୍ଗିଛି ବିଏମସି । ଖରା ବର୍ଷା ଶୀତରେ ଯୁବତୀ ଓ ମହିଳା ମାନେ ରାସ୍ତାରେ ବସୁଛନ୍ତି । ଅନେକ ପିଲାମାନେ ମଧ୍ୟ ସ୍କୁଲ ଓ କଲେଜରେ ପାଠ ପଢ଼ୁଛନ୍ତି । ସେମାନେ ଏଠାରେ କିଭଳି ଚାଲିବ ବୋଲି ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି । ତେଣୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ । ନହେଲେ ରାଜ୍ୟରେ ବିଭିନ୍ନ ଅଞ୍ଚଳରୁ ଦେହଜୀବୀ ମାନେ ଆସି ନବୀନ ନିବାସ ଆଗରେ ଧାରଣା ଦେବେ ବୋଲି କହିଛନ୍ତି ଏମାନେ ।
ସୂଚନା ଅନୁଯାୟୀ, ରାଜ୍ୟରେ ଜାନୁଆରୀ 13 ତାରିଖରୁ ଆରମ୍ଭ ହେବ ହକି ବିଶ୍ଵକପ । ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ବକପର ସମସ୍ତ ମ୍ୟାଚ ଖେଳାଯିବ । ତେବେ ଏହାକୁ ନେ ଭୁବନେଶ୍ଵର ସହରକୁ କ୍ଲିନ କରାଯାଉଛି । ରାସ୍ତା ଘାଟ କାନ୍ଥ ବାଡ଼ ସବୁଠି ରେଙ୍ଗ ବେରଙ୍ଗର କଲର କରାଯାଉଛି । ବିଭିନ୍ନ ସ୍ଥାନରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଦର୍ଶାଯାଇଛି । ଯେମିତି ଏକ ନବ ବଧୂ ଭଳି ସଜେଇ ହୋଇଛି ଭୁବନେଶ୍ଵର । ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ବିଏମସି ସୌନ୍ଦର୍ଯ୍ୟକରଣକୁ ନେଇ ବସ୍ତିରେ ଥିବା ଘର ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଦେହଜୀବୀ ।
ଇଟିଭି ଭାରତ, ଭୁବନେଶ୍ବର