ଖୋର୍ଦ୍ଧା: ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରେ ମା ଉଗ୍ରତାରାଙ୍କ ପୀଠ ଅନ୍ୟତମ । ଏହି ପୀଠଟି ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁରର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ମାଆଙ୍କ ଅପାର କରୁଣାରୁ ବର୍ଷର ବିଭିନ୍ନ ସମୟରେ ରାଜ୍ୟର ଅନେକ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବିଶେଷ କରି ଶାରଦୀୟ ଉତ୍ସବରେ ଗ୍ରହ ଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ମାଆ ପ୍ରସନ୍ନ ହେଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଏକ ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ମା ଉଗ୍ରତାରଙ୍କ ମନ୍ଦିରର ସ୍ବତନ୍ତ୍ର ସ୍ଥାନ ରହିଛି । ବିଶ୍ବର ଥିବା ଚାରୋଟି ତାରା ପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ । ମା’ଙ୍କ ପ୍ରତିମା ବେଶ ଶାନ୍ତ ଓ କମନୀୟ । ରାଜା କପିଳେନ୍ଦ୍ର ଦେବ ହଜାର ହଜାର ବର୍ଷ ପୂର୍ବେ ମାଙ୍କୁ ଏଠାରେ ସ୍ଥାପନା କରିଥିବାର କଥିତ ରହିଛି । ତନ୍ତ୍ର ସାଧନା ପାଇଁ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାଙ୍କ ସାନ୍ନିଧ୍ୟ ଲାଭ କରୁଥିବା ଦେବୀ ଭାଗବତରେ ଉଲ୍ଲେଖ ରହିଛି। ବିଶେଷକରି ବୌଦ୍ଧ ଧର୍ମର ମହାଯାନ ଗୋଷ୍ଠୀ ତନ୍ତ୍ରମନ୍ତ୍ରରେ ବିଶ୍ବାସ କରୁଥିବାରୁ ସେମାନେ ଏହି ସ୍ଥାନରେ ତନ୍ତ୍ର ସାଧନା କରୁଥିବା କୁହାଯାଏ ।
ଶାରଦୀୟ ଉତ୍ସବରେ ମାଙ୍କ ପୀଠରେ ଷୋଳଦିନ ବ୍ୟାପୀ ପ୍ରତ୍ୟହ ସ୍ବତନ୍ତ୍ର ପୂଜାର୍ଚ୍ଚନା, ତନ୍ତ୍ରପାଠ, ଚଣ୍ଡୀପାଠ, ନବଗ୍ରହ ପୂଜା ଓ ଦଶମହାବିଦ୍ୟା ପାଠ କରାଯାଇଥାଏ । ଏହି ପାର୍ବଣ ଅବସରରେ ମାଆଙ୍କୁ ସ୍କନ୍ଧମାତା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇଥାଏ । ଗ୍ରହରାଜ ବୃହସ୍ପତିଙ୍କ ଇଷ୍ଟ ଦେବୀ ମା ଉଗ୍ରତାରା । ତେଣୁ ଗ୍ରହ ଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ଏହି ପର୍ବଣରେ ମାଙ୍କ ଶରଣାପନ୍ନ ହୋଇଥାନ୍ତି ।
ଶାକ୍ତ ପରମ୍ପରାରେ ଦଶ ପ୍ରଧାନ ରୂପକୁ ଉପାସନା କରାଯାଏ । ସେହି ଉପାସନାକୁ ବ୍ରହ୍ମ ଉପାସନା ବୋଲି କୁହାଯାଏ । ଅନ୍ୟପକ୍ଷରେ ତାହାକୁ ମହାବିଦ୍ୟା ଉପାସନା ବୋଲି କୁହାଯାଇଥାଏ। ସେହି ଦଶ ମହାବିଦ୍ୟାଙ୍କ ମଧ୍ୟରୁ ମା’ ତାରା ଦ୍ବିତୀୟ ମହାବିଦ୍ୟା ଭାବରେ କଥିତ । ସେ ହେଉଛନ୍ତି ବ୍ରହ୍ମଙ୍କର ଜ୍ଞାନ ଶକ୍ତି । ଦକ୍ଷ ଗୃହରେ ଯେ ସତୀ ରୂପେ ଜନ୍ମଗ୍ରହଣ କରିଥିଲେ ସେ କେବଳ ବ୍ରହ୍ମତ୍ବ ବୋଲି ନାରଦ ପଞ୍ଚରାତ୍ରରେ କୁହାଯାଇଛି । ତାରକ ବା ମୋକ୍ଷକାରିଣୀ ହୋଇଥିବାରୁ ତାଙ୍କୁ ତାରା ବୋଲି କୁହାଯାଏ । ସେ ନିଜର ଭକ୍ତମାନଙ୍କୁ ବାକଶକ୍ତି ପ୍ରଦାନ କରୁଥିବାରକୁ ତାଙ୍କୁ ନୀଳ ସରସ୍ବତୀ ବୋଲି କୁହାଯାଇଥାଏ । ଏପରିକି ସ୍ବଭାବରେ ଉଗ୍ର ହୋଇଥିବାରୁ କେତେକ ତାଙ୍କୁ ଉଗ୍ରତାରିଣୀ ବୋଲି ଅଭିହିତ କରିଥାନ୍ତି । ସେହିପରି ସେ ବିପତ୍ତିରୁ ରକ୍ଷା କରୁଥିବାରୁ ତାଙ୍କୁ ଉଗ୍ରତାରା ବୋଲି କୁହାଯାଇଥାଏ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ