ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଡିଶା ବିଜେପିର ମଙ୍ଗୁଆଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସମୀର ମହାନ୍ତି । ବିଦାୟୀ ସଭାପତି ବସନ୍ତ ପଣ୍ଡା ତାଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା ।
ନିର୍ବାଚିତ ସଭାପତି ଛାତ୍ର ଜୀବନୀରୁ ରାଜନୀତି ସହ ଜଡିତ ହୋଇ ରହିଛନ୍ତି । ବିଜେପିର ବହୁ ପଦପଦବୀରେ ମଧ୍ୟ ସେ ରହିଆସିଛନ୍ତି । ବର୍ତମାନ ସମୟରେ କରପରେଟରରୁ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମୀର ମହାନ୍ତି ବିଜେପିର ସଭାପତି ହେଲା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା। ତାଙ୍କ ନେତୃତ୍ବରେ ଦଳ ପୌରାନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ। ଫଳରେ ଦଳକୁ ଅଧିକରୁ ଅଧିକ ସଫଳତା ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଦଳୀୟ ନେତା।
ଦୀର୍ଘ 16 ବର୍ଷ ଉପକୂଳ ନେତାଙ୍କୁ ମିଳିଛି ରାଜ୍ୟ ବିଜେପିର ସଭାପତି ପଦ। ବାଣ ଫୁଟାଇ ବାଜା ବଜାଇ ସଭାପତି ସମୀରଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ସେହିପରି ଆନୁଷ୍ଠାନିକ ଭାବରେ ସଭାପତି ଦାଇତ୍ବ ହସ୍ତାନ୍ତର କରିଛନ୍ତି ବିଦାୟୀ ସଭାପତି ବସନ୍ତ ପଣ୍ଡା ।
ବିଜେପିର ନବ ନିର୍ବାଚିତ ସଭାପତି କହିଛନ୍ତି ଯେ ଆଗକୁ ସମସ୍ତ ସଙ୍ଗଠନକୁ ମଜଭୁତ କରିବାକୁ ପ୍ରଥମ ପ୍ରାଥମିକତା ରହିବ । କେନ୍ଦ୍ରର ଜନମଙ୍ଗକାରୀ ଯୋଜନା କିଭଳି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚିବ ସେନେଇ ମଧ୍ୟ ଧ୍ୟାନ ଦିଆଯିବ। କେନ୍ଦ୍ରଙ୍କ ଠାରୁ ଆସୁଥିବା କୋଟି କୋଟି ଟଙ୍କା ରାଜନୀତିର ପସାପାଲିରେ ରହିଯାଉଛି ତାହାକୁ ବାହାର କରିବା ପାଇଁ ବିଜେପି ସଂଘର୍ଷ କରିବ । ସଂଗଠନ ସଂଘର୍ଷ ଓ ବିଶ୍ବାସ ରଖି ଅଗାମୀ ଦିନରେ କାର୍ଯ୍ୟକରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରିତ କରାଯିବ ବୋଲି କହିଛନ୍ତି ନବନିର୍ବାଚିତ ସଭାପତି ସମୀର ମହାନ୍ତି ।
ଓଡିଶା ବିଜେପିର 9ମ ରାଜ୍ୟ ଶାଖା ସଭାପତି ହୋଇଛନ୍ତି ସମୀର ମହାନ୍ତି । ନୂଆ ସଭାପତି ଭାବେ ଚୟନ ହେବା ପରେ ତାଙ୍କୁ ସମ୍ବର୍ଦ୍ଧନା ଓ ଦାୟିତ୍ବ ହସ୍ତାନ୍ତର ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପି କେନ୍ଦ୍ରୀୟ ଅଧିକାରୀ ସୌଦାନ ସିଂ, ରାଷ୍ଟ୍ରୀୟ ଉପସଭାପତି ବୌଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ