ଭୁବନେଶ୍ବର: ଏଣିକି ବିଦ୍ୟାଳୟ ସ୍ତରରେ ପିଲାଙ୍କ ମଧ୍ୟରେ ବଢିବ ଓଡିଆ ଭାଷା ପ୍ରୀତି । ଓଡିଆ ଭାଷା ସାହିତ୍ୟର ବିକାଶ ଦିଗରେ ଛାତ୍ର ଛାତ୍ରୀଙ୍କୁ ଯୋଡିବ ସାହିତ୍ୟ ସୃଜନୀ ଛାତ୍ରକ୍ଲବ । ଆସନ୍ତା ଫେବ୍ରୁଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ପ୍ରଚେଷ୍ଟା କ୍ରମେ ସାରା ଓଡ଼ିଶା ପାଳିବାକୁ ଯାଉଛି ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ' । ସାରା ବିଶ୍ବର କୋଣ ଅନୁକୋଣରୁ ଏକାଠି ହେବେ ଓଡ଼ିଆ ଭାଷାକୁ ଭଲ ପାଉଥିବା ବିଭିନ୍ନ ଗୋଷ୍ଠୀ ଆଉ ବିଭିନ୍ନ ବର୍ଗର ଲୋକ ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ପ୍ରୟାସ । ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢ଼ାଇବାକୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ‘ସାହିତ୍ୟ ସୃଜନୀ’ ଛାତ୍ରକ୍ଲବ୍ ଜରିଆରେ ପିଲାଙ୍କ ସୃଜନ ଶକ୍ତି ବୃଦ୍ଧି ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ଯୋଡି ହୋଇଛନ୍ତି ୭ ଲକ୍ଷ ଛାତ୍ରଛାତ୍ରୀ । ଆସନ୍ତା ଜାନୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ‘ସାହିତ୍ୟ ସୃଜନୀ’ ଛାତ୍ର କ୍ଲବ୍ ଜରିଆରେ ଛାତ୍ର ଛାତ୍ରୀମାନେ ପ୍ରକାଶ କରିବାକୁ ଯାଉଛନ୍ତି ସାହିତ୍ୟ ରଚନା । ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ‘ମୋ କଥା, ମୋ କାହାଣୀ’ ନାମରେ ଏହି କୃତି ଓଡ଼ିଶାର ଶିକ୍ଷା ଇତିହାସରେ ଯୋଡ଼ିବାକୁ ଯାଉଛି ସମ୍ପୂର୍ଣ୍ଣ ନୂଆ ଏକ ଅଧ୍ୟାୟ ।
ଏହା ମଧ୍ୟ ପଢନ୍ତୁ .... ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀମାନେ ଲେଖିବେ 'ମୋ କଥା ମୋ କାହାଣୀ'
ଏହି ୭ ଲକ୍ଷ କୁନି କୁନି ପିଲାଙ୍କ ଦ୍ବାରା ପ୍ରକାଶିତ ସାହିତ୍ୟ କୃତିର ବିରଳ ରେକର୍ଡକୁ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସ’ରେ ମଧ୍ୟ ସ୍ଥାନିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତୃଣମୂଳ ସ୍ତରରେ ଏହି ଉଦ୍ୟମ ପିଲାଙ୍କ ଦକ୍ଷତା ବୃଦ୍ଧି ସହ ସୃଜନାତ୍ମକ ଚିନ୍ତାଧାରା ଏବଂ ସାହିତ୍ୟ ପ୍ରତି ଅନୁରାଗ ବୃଦ୍ଧିରେ ସହାୟକ ହେବ । ବିଭିନ୍ନ ପର୍ଯ୍ୟାୟରେ ବିଦ୍ୟାଳୟମାନଙ୍କରେ ‘ସାହିତ୍ୟ ସୃଜନୀ’ର ୨୫ଟି ଅଧିବେଶନ ଜରିଆରେ ପାଠାଗାର, ପୁସ୍ତକ ସମୀକ୍ଷା, ପ୍ରାଚୀରପତ୍ର, କାହାଣୀ କଥନ, ଗଳ୍ପ ଲିଖନ, ଶବ୍ଦ କୁହୁକ, କବିତା ଆବୃତ୍ତି, ଭ୍ରମଣ କାହାଣୀ, କ୍ଷୁଦ୍ର ନାଟକ ଓ ଏକାଙ୍କିକା ତଥା ଏକକ ଅଭିନୟ ଭଳି ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ପିଲାଙ୍କୁ ପାରଙ୍ଗମ କରିବାକୁ ସ୍କୁଲ ସ୍ତରରେ ଉଦ୍ୟମ ଜାରି ରହିଛି ।
ଇଟିଭି ଭାରତ, ଭୁବନେଶ୍ବର