ଖୋର୍ଦ୍ଧା: ରାସ୍ତା ନିର୍ମାଣର ପାଞ୍ଚ ମାସ ନ ପୁରୁଣୁ ରାସ୍ତାରୁ ଉଠିଲା ପିଚୁ । ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ । ବିଜୁ ସେତୁକୁ ସଂଯୋଗ କରୁଥିବା ରାସ୍ତା ଉଦଘାଟନକୁ ମାତ୍ର ପାଞ୍ଚ ମାସ ପୁରିଥିବା ବେଳେ ରାସ୍ତା ଉପରୁ ପିଚୁ ଉଠିଲାଣି । ଏହି କାର୍ଯ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ରାସ୍ତା ହେଉଛି ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗୌଡ଼ପାଟଣା ରାସ୍ତା ।
ସୂଚନା ଅନୁଯାୟୀ ଦୁର୍ଗାପୁର ଗୌଡ଼ପାଟଣା ରାସ୍ତାର ନାରାୟଣିପଡା ନାଳ ଉପରେ ଏକ କୋଟି 98ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଛି ବିଜୁ ସେତୁ ଓ ରାସ୍ତା । ଏହି ରାସ୍ତାକୁ ଗତ ଡିସେମ୍ବର ମାସରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ରାସ୍ତାର ଉଦଘାଟନକୁ ପାଞ୍ଚ ମାସ ବିତିନି ହେଲେ ରାସ୍ତାରୁ ପିଚୁ ଉଠିଗଲାଣି ।
ରାସ୍ତା ଅବସ୍ଥା ଯଦି ଏପରି ବ୍ରିଜର ସ୍ଥାୟୀତ୍ବକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସେପଟେ ଘଟଣା ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ