ଭୁବନେଶ୍ବର: ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ଅଦଳବଦଳ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାନସ ମଙ୍ଗରାଜଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ମାନସ ମଙ୍ଗରାଜ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇବା ସହିତ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦାୟିତ୍ବ ବହନ କରିବେ । ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।
2024 ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ କଡ଼ା ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ପଶ୍ଚିମ ଓଡ଼ିଶା, ବିଶେଷ କରି ସମ୍ବଲପୁରରେ ଶାସକ ଦଳ ବିଜେଡି ଅପେକ୍ଷା ବିରୋଧୀ ବିଜେପିର ଦବଦବା ଅଧିକ ରହିଛି । ତେଣୁ ଏଥର ବିଜେପିକୁ କଡ଼ା ଟକ୍କର ଦେବାକୁ ସ୍ବତନ୍ତ୍ର ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଅଛନ୍ତି । ଏହା ସହିତ ସମ୍ବଲପୁର ଭଳି ହାଇପ୍ରୋଫାଇଲ ଲୋକସଭା ଆସନର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ମାନସ । ସୌଭାଗ୍ୟ ନାୟକ ଓ ଗୌତମ ବୁଦ୍ଧ ଦାସଙ୍କ ସମେତ ମାନସଙ୍କ ଏହି ଟିମ୍ ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଅନୁଧ୍ୟାନ କରି ଏଠାରୁ ଉତ୍ତମ ପ୍ରାର୍ଥି କିଏ ହେବେ ସେନେଇ ସମୀକ୍ଷା କରିବେ । ଏହି ଲୋକସଭା ଆସନ ଏବେ ବିଜେପି ହାତରେ ରହିଛି ।
ଏହା ମଧ୍ଯ ପଢ଼ନ୍ତୁ...ତୃତୀୟ ପିଢ଼ି ଦଳକୁ ମଜଭୁତ କରିବାରେ ବେଶ ସକ୍ଷମ: ଭର୍ତ୍ତୃହରି ମହତାବ
ଗତ 2019 ନିର୍ବାଚନରେ ବିଜେଡି ସମ୍ବଲପୁର ଲୋକସଭା ଆସନରୁ ଅବସରପ୍ରାପ୍ତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଟିକେଟ୍ ଦେଇ ଫେଲ୍ ମାରିଥିଲା । ଏଠାରେ ବାଜି ମାରିନେଇଥିଲେ ବିଜେପି ପ୍ରାର୍ଥି ନିତେଶ ଗଙ୍ଗଦେବ । ହେଲେ ଏଥର କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି । ବିଜେପି ସାଂସଦ ନିତେଶଙ୍କ ପୈତୃକ ଘର ଦେବଗଡ଼ ଜିଲ୍ଲାରେ ହୋଇଥିବାରୁ ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ଼ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବୌଦ୍ଧ ଜିଲ୍ଲାରେ ଯଦିଓ ବିଜେଡି ସଂଗଠନ ସୁଦୃଢ଼ ଅଛି, ହେଲେ ଏଥର ବିଜେଡି ପାଇଁ ଏହା ଏକ ଆହ୍ବାନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର