ଭୁବନେଶ୍ବର: ଜଟଣୀ ରଥିପୁର ଅଙ୍ଗନବାଡ଼ି ଶିକ୍ଷୟତ୍ରୀ ହତ୍ୟା ଘଟଣାରେ ରାୟ ଶୁଣାଇଲେ ଅତିରିକ୍ତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ। ଜଟଣୀ ରଥିପୁରର ଅଙ୍ଗନବାଡ଼ି ଶିକ୍ଷୟତ୍ରୀ ତଥା ଖୁଡି ମନୋରମା ମହାନ୍ତିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ପୁତୁରା କୁଳମଣି ମହାନ୍ତି ହତ୍ୟା କରିଥିବା ନେଇ କୋର୍ଟରେ ସାବ୍ୟସ୍ତ ହେବା ପରେ ପ୍ରଥମ ଅତିରିକ୍ତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ତାଙ୍କୁ ଆଜୀବନ ସଜା ଶୁଣାଇଛନ୍ତି ।
ଏହି ଘଟଣାରେ ଖୁଡି ମନୋରମା ମହାନ୍ତିଙ୍କୁ ହତ୍ୟା ଅଭିଯୋଗରେ ପୁତୁରା କୁଳମଣି ମହାନ୍ତି ଓ ତାଙ୍କ ମା ଶ୍ରୀମତୀ ମହାନ୍ତି ଗିରଫ ହୋଇଥିଲେ। ଏନେଇ ଦୁଇମାସ ମଧ୍ୟରେ କେସର ଚାର୍ଜସିଟ ଦାଖଲ ହୋଇଥିଲା। ୨୨ଜଣ ସାକ୍ଷୀ ଓ ୨୪ ହତ୍ୟା ସମ୍ପର୍କିତ କାଗଜ ପତ୍ର ପ୍ରମାଣ ଆଧାରରେ ପୁତୁରା ଦୋଷୀ ସାବସ୍ତ ହୋଇଥିଲା । ହେଲେ ତାଙ୍କ ମା’ଙ୍କୁ ପ୍ରମାଣ ଅଭାବରୁ କେସରୁ ମୁକ୍ତ କରାଯାଇଥିଲା। ତେବେ ଦୋଷୀ ତଥା ୪୨ ବର୍ଷିୟ ପୁତୁରା କୁଳମଣି ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ମଧ୍ୟ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଦୋରାଜଜ ସଞ୍ଜୀବ ଦୁବେ।
ପ୍ରକାଶଥାଉକି, ଜମିବାଡ଼ି ବିବାଦକୁ କେନ୍ଦ୍ର କରି 2016 ମାର୍ଚ୍ଚ 27ରେ ଏହି ହତ୍ୟାକାଣ୍ଡ ହୋଇଥିଲା । ତେବେ ଘର ସାମ୍ନାରେ ଥିବା ଏକ ପ୍ଲଟକୁ ନେଇ ଖୁଡି ପୁତୁରା ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା। ଏନେଇ 2016 ମାର୍ଚ୍ଚ 27ରେ ମନୋରମା ମହାନ୍ତି ଅଙ୍ଗନବାଡିରୁ ଫେରୁଥିବା ବେଳେ ଏକ ଧାରୁଆ ଅସ୍ତ୍ରରେ ଖୁଡିର ବେକକୁ କାଟି ହତ୍ୟା କରିଥିଲା ଅଭିଯୁକ୍ତ ପୁତୁରା। ଏନେଇ ସହାୟକ ସରକାରି ଓକିଲ ଭାବେ କେସ ଲଢୁଥିଲେ ଚନ୍ଦ୍ରକାନ୍ତ ଦାସ । ଯିଏକି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ