ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏବେଠୁ ଘର ସଜାଡ଼ିବାରେ ଲାଗିଛି କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର । ଏହାକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ସଂଗଠନ ଉପରେ ଗୁରୁତ୍ୱ ଦେଇଛି । ଏନେଇ ଆଜି କଂଗ୍ରେସର ମହିଳା ଉପସଭାନେତ୍ରୀ ଭାବେ ରଶ୍ମି ମହାପାତ୍ରଙ୍କ ନାମ ଘୋଷଣା କରିଛି । ତେବେ ରଶ୍ମି ମହାପାତ୍ର ମହିଳା କଂଗ୍ରେସର ଉପସଭାନେତ୍ରୀ ହେବା ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସାଧାରଣ ନିର୍ବାଚନ ପୂର୍ବରୁ ମହିଳା କଂଗ୍ରେସର ଚାଲିଛି ଘର ସଜଡ଼ା । ସଂଗଠନକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଲା ମହିଳା ସାମୁଖ୍ୟ । ଦୁଇ ଦିନ ତଳେ ମହିଳାମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଥିଲା । ନାରୀମାନଙ୍କୁ ପ୍ରଧାନ୍ୟ ଦେଇ କଂଗ୍ରେସ ତୃଣମୂଳ ସ୍ତରରୁ ନେତୃତ୍ବରେ ସୁଧାର ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ରାଜ୍ୟରେ ଘରେଘରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ମହିଳାମାନେ ପ୍ରସଙ୍ଗ କରି ସଚେତନତା ସୃଷ୍ଟି କରିବେ । ରାଜ୍ୟରେ ମହିଳାମାନଙ୍କ ସ୍ଥିତି ବିଷୟରେ ଅବଗତ କରାଇବେ । ପିସିସି ସାଧାରଣ ସମ୍ପାଦିକା ଏବଂ ମୁଖପାତ୍ର ଭାବେ ଦାୟିତ୍ୱ ନିର୍ବାହ କରୁଥିବା ରଶ୍ମି ମହାପାତ୍ରଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ନୂତନ ଉପସଭାନେତ୍ରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ମହିଳା ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଲା କଂଗ୍ରେସ, ବିଭିନ୍ନ ବିଭାଗରେ ଦାୟିତ୍ବ ବଣ୍ଟନ
ରଶ୍ମି ମହାପାତ୍ର ଜଣେ ସକ୍ରିୟ ନାରୀନେତ୍ରୀ ଭାବେ ଭୁବନେଶ୍ୱରରେ ବିଶେଷ କରି ଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ତାଙ୍କୁ ଆଉ ଏକ ଗୁରୁ ଦାୟିତ୍ଵ ମିଳିଥିବାରୁ ସେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ତାଙ୍କ ନାମକୁ ଅନୁମୋଦନ କରିଥିବା ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ନୀତା ଡି ସୌଜାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟ ମହିଳା କଂଗ୍ରେସ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ରଶ୍ମି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ..Bus strike in Odisha: ଆସନ୍ତା 31 ଯାଏଁ ଧର୍ମଘଟ ସ୍ଥଗିତ, ରାତିରୁ ଗଡିବ ବସ
ଇଟିଭି ଭାରତ, ଭୁବନେଶ୍ବର