ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଅସହ୍ୟ ଗୁଳିଗୁଳି ସହ ଗରମ । ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ଜାରି ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ଦିନର ତାପମାତ୍ରା ରହିବ । ଆସନ୍ତା ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହେବାର ସମ୍ଭାବନା ରହିଛି । ବିଶେଷଭାବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରା ସହ ପ୍ରବଳ ଗରମ ହେବାର ସମ୍ଭାବନା ରହିଛି । ଖରା ଓ ଗୁଳୁଗୁଳିର ପ୍ରବାହକୁ ନେଇ ଦିନ ୧୧ ଟାରୁ ତିନିଟା ପର୍ଯ୍ୟନ୍ତ ଘରୁ ଆବଶ୍ୟକ ନଥିଲେ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ତେବେ ରାଜ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସହ ଏହି ସମୟରେ କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ବର୍ଷାକୁ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି କଟକ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା , ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ।
ସେପଟେ ଗତ ୨୪ ଘଣ୍ଟାରେ ସୋନପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଆଜି ଦିନର ତାପମାତ୍ରା ୧୦ଟି ସହରରେ ୪୦ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର ୪୩.୨ ଡ଼ିଗ୍ରୀ ,ହୀରାକୁଦ ୪୩.୨ ଡ଼ିଗ୍ରୀ, ଝାରସୁଗୁଡା ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି ୩୯.୨ ଡ଼ିଗ୍ରୀ, ଭୁବନେଶ୍ୱର ୩୬.୪ ଡ଼ିଗ୍ରୀ, ବାଲେଶ୍ୱର ୩୬.୦ ଡ଼ିଗ୍ରୀ, ପୁରୀ ୩୪.୦ ଡ଼ିଗ୍ରୀ, ଗୋପାଳପୁର ୩୩.୨ ଡ଼ିଗ୍ରୀ , ପାରାଦ୍ୱୀପ ୩୨.୮ ଡ଼ିଗ୍ରୀ, କେନ୍ଦୁଝର ୨୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ ସହ ବର୍ଷା ହୋଇଥିବା ବେଳେ ଗଜପତିରେ ନୂଆଗଡ ସର୍ବାଧିକ ୪୩.୩୪ ମିମି ବର୍ଷ ରେକର୍ଡ କରାଯାଇଛି । ଅନ୍ୟପଟେ ବାୟୁମଣ୍ଡଳରେ ୯ କିମି ପର୍ଯ୍ୟନ୍ତ ପୂର୍ବ ଉତ୍ତର ପ୍ରଦେଶ ଯାଏଁ ଏକ ଘୁର୍ଣ୍ଣିବଳୟର ପ୍ରବାହ ରହିଛି । ଏହାର ପ୍ରବାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ପୂର୍ବ ଆଣ୍ଡାମାନ ସମୁଦ୍ର ଓ ନିକୋବର ଆଇଲାଣ୍ଡରେ ୪୮ ଘଣ୍ଟା ମଧ୍ୟରେ ପ୍ରାକ ମୌସୁମୀ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର