ଖୋର୍ଦ୍ଧା : ବେଆଇନ ମାଙ୍କଡା ଖଣିରେ ବନ ବିଭାଗର ରେଡ କରିବା ଵେଳେ ଅଘଟଣ । ଜୋର ଜବରଦସ୍ତ ଛଡାଇନେଲେ ଜେସିବି ମେସିନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନ ଗମେଇ ଗ୍ରାମରେ । ଗମେଇ ଗ୍ରାମରେ ଥିବା ବନ ବିଭାଗ ଜାଗାରେ ଏକ ବେଆଇନ ମାଙ୍କଡା ପଥର ଖଣିରେ ମାଫିଆ ମାନେ ପଥର କାଟୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ମିଳିତ ଟିମ ଚଢାଉ କରିଥିଲା ।
ଚଢାଉ ବେଳେ ମାଫିଆ ମାନେ ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଏକ ଜେସିବିକୁ ବନ ବିଭାଗ ଟିମ ଜବତ କରିଥିଲା । ଜେସିବିକୁ ଜବତ କରି ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ଖଣି ମାଫିଆ ଓ କିଛି ଗ୍ରାମବାସୀ ବିରୋଧ କରି ବଳ ପୂର୍ବକ ବନ ବିଭାଗ ହାତରୁ ଜେସିବିକୁ ଛଡାଇ ନେଇଥିଲେ । ଏହି ଚଢାଉରେ ଟାଙ୍ଗୀ, ରଣପୁର, ବାଲୁଗାଁ, ଖୋର୍ଦ୍ଧା ବନବିଭାଗର ଟିମ ସାମିଲ ହୋଇଥିଲେ । ତେବେ ଏହି ଘଟଣା ନେଇ ବନ ବିଭାଗ ପକ୍ଷରୁ ବାଣପୁର ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ