ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସ୍ବାଗତ କରିବେ । ଏଠାରୁ ସେ ସ୍ବତନ୍ତ୍ର କାରକେଡ୍ରେ ରାଜଭବନକୁ ଯିବେ । ଜୁଲାଇ ୨୭ ତାରିଖ ଯାଏଁ ଓଡ଼ିଶାରେ ରହିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୩ ଦିନରେ ରାଷ୍ଟ୍ରପତି କଟକ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବାର୍ଷିକ ଉତ୍ସବ, ହାଇକୋର୍ଟ ପ୍ରତିଷ୍ଠା ଦିବସ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ସୋମବାର ଭୁବନେଶ୍ବର ବିମାନ ବନ୍ଦରରେ କାରକେଡ ରିହଲସଲ ହୋଇଛି । ତାଙ୍କର ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ସହ ୩ଟି କୁଇକ ରେସପନ୍ସ ଟିମ୍, ୨ଟି ଟେକ୍ନିକାଲ ୟୁନିଟ ନିୟୋଜିତ ହେବେ । ୧୬୦ ଟ୍ରାଫିକ କର୍ମଚାରୀ ସହ ୧୫୦ ହୋମଗାର୍ଡ ମୁତୟନ ରହିବେ । ୧୨ ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟରଙ୍କ ସମେତ ୧୨୦ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ମୁତୟନ ହେବେ ।
ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସୂଚୀ:
ଆଜି ରାଷ୍ଟ୍ରପତି ରାଜଭବନକୁ ଯିବା ପରେ ସେଠାରେ 'ଅତୁଟ ବନ୍ଧନ ପରିବାର' ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ କଥା ହେବେ । ଏହାସହିତ ସନ୍ଧ୍ୟାରେ ରାଜଭବନ ପରିସରରେ ଏକ ନୂଆ କୋଠାର ଶିଳାନ୍ୟାସ କରିବେ । ଆସନ୍ତାକାଲି ଅର୍ଥାତ୍ ୨୬ ତାରିଖରେ ରାଷ୍ଟ୍ରପତି କଟକରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକ ଉତ୍ସବରେ ସାମିଲ ହେବା ସହିତ ଚଣ୍ଡିମନ୍ଦିର, ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ।
ଏହାମଧ୍ୟ ପଢନ୍ତୁ: ୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି, ଏମିତି ରହିବ ସୁରକ୍ଷା ବ୍ୟବସ୍ଥା
୨୭ ତାରିଖରେ ରାଷ୍ଟ୍ରପତି ମୁର୍ମୁ ନଖରା ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଡିଜାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଓଡ଼ିଶା ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ଓ ଅନ୍ୟ କିଛି ସ୍ଥାନକୁ ଗସ୍ତ କରିବେ । ୩ ଦିନିଆ ଗସ୍ତ ସାରି ୨୭ ତାରିଖ ସନ୍ଧ୍ୟାରେ ପୁଣି ଦିଲ୍ଲୀ ଫେରିଯିବେ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା । ତେଣୁ ଏଥର ଯେମିତି ସେଭଳି ତ୍ରୁଟି ନହୁଏ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।