ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସଂଧ୍ୟାରେ ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ସେ କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି(ସୋମବାର) ସେ ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ ଅଂଶଗ୍ରହଣ କରିବେ । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଉଛି । ଏଥିପାଇଁ ଉଭୟ ଭୁବନେଶ୍ବର ଓ ପାରାଦ୍ବୀପ ବେଳାଭୂମିର ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆସନ୍ତାକାଲି ସକାଳେ ପ୍ରାୟ 8ଟା ବେଳେ ରାଷ୍ଟ୍ରପତି ରାଜଭବନରୁ କଡା ସୁରକ୍ଷା ବଳୟ ମଧ୍ୟରେ ପୁଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଅଭିମୁଖେ ବାହାରିବେ । ସେଠାରୁ ସେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାରାଦ୍ବୀପ ଅଭିମୁଖେ ଉଡାଣ ଭରିବେ । ପରେ ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ପୁଣି ରାଜଧାନୀ ଭୁବନେଶ୍ବର ଫେରିବେ । ଆସନ୍ତାକାଲି (ସୋମବାର) ସଂଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାରାଦ୍ବୀପରେ ଜଗତସିଂପୁର ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ରାଷ୍ଟ୍ରପତି: ସ୍ଥାନାନ୍ତର ହେବ ପାରାଦ୍ୱୀପ ବସଷ୍ଟାଣ୍ଡ, ସୁରକ୍ଷା ବଳୟରେ ସମ୍ବଲପୁର
ଆସନ୍ତାକାଲି ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ପରିବାହନ ମନ୍ତ୍ରୀ ଟୁକୁନି ସାହୁ, ସାଂସଦ ରାଜଶ୍ରୀ ମଲ୍ଲୀକ, ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟୋଶୋ ନାୟକ, ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଓ ବିଧାୟକ ସମ୍ବିତ ରାଉତରାୟ ମଧ୍ୟ ସାମିଲ ହେବେ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବସଷ୍ଟାଣ୍ଡକୁ ଶୁକ୍ରବାର ଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାରାଦ୍ବୀପ ବସଷ୍ଟାଣ୍ଡ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଉଠାଇ ନିଆଯାଇଛି ।
ଗତ 23 ତାରିଖରୁ କଟକ ଓ ଚଣ୍ଡିଖୋଲରୁ ଆସୁଥିବା ବସ ଗୁଡିକ ଏଠାରେ ରହଣୀ କରିବା ସହ ଏହିଠାରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଛନ୍ତି । ସେହିପରି ପାରାଦ୍ୱୀପକୁ ଚଳାଚଳ କରୁଥିବା ଭାରିଯାନ ଗୁଡିକ ସହର ମଧ୍ୟକୁ ପ୍ରବେଶ ଉପରେ ଗତକାଲିଠାରୁ କଟକଣା ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ନଉପୁଜେ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର