ଭୁବନେଶ୍ବର: ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ସବୁଠୁ ଅଧିକ ଚାନ୍ଦା ପାଇଛି କେସିଆରଙ୍କ ଦଳ । ଗତ ଆର୍ଥିକ ବର୍ଷରେ ଭାରତ ରାଷ୍ଟ୍ର ସମିତି ପାଖାପାଖି ୪୧ କୋଟି ଟଙ୍କା ଅନୁଦାନ ପାଇଛି । ଏହା ଆଞ୍ଚଳିକ ଦଳମାନଙ୍କ ଭିତରେ ମିଳିଥିବା ଅନୁଦାନର ସବୁଠୁ ଅଧିକ । ସେହିପରି ବିଜେଡି ଗତ ଆର୍ଥିକ ବର୍ଷରେ କୌଣସି ବି ଚାନ୍ଦା ପାଇନଥିବା ଏଡିଆର ରିପୋର୍ଟରେ ଦର୍ଶାଯାଇଛି ।
ରାଜନୈତିକ ଦଳମାନଙ୍କୁ ଅନୁଦାନ ଆକାରରେ କେତେ ଟଙ୍କା ମିଳେ, ସେ ନେଇ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି । ଯାହାର ତଥ୍ୟ ଏବେ ଏଡିଆର ପ୍ରକାଶ କରିଛି । ଏଡିଆର ରିପୋର୍ଟରେ ୨୬ଟି ରାଜନୈତିକ ଦଳର ତଥ୍ୟ ପ୍ରକାଶ ପାଇଛି । ଏହି ଦଳମାନଙ୍କୁ ମୋଟ ୫୧୦୦ ଲୋକ ୧୯୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ତେବେ ସବୁଠୁ ଅଧିକ ଅନୁଦାନ ପାଇଥିବା ୫ଟି ରାଜନୈତିକ ଦଳଙ୍କ ଭିତରେ ଭାରତ ରାଷ୍ଟ୍ର ସମିତି ସହିତ ଆମ ଆଦମୀ ପାର୍ଟି, ଜନତା ଦଳ ୟୁନାଇଟେଡ, ସମାଜବାଦୀ ପାର୍ଟି ସହ ୱାଇଏସ ଜଗନ ମୋହନ ରେଡ୍ଡିଙ୍କର ୱାଇଏସଆର କଂଗ୍ରେସ ସାମିଲ ଅଛି ।
ଆଞ୍ଚଳିକ ଦଳ ହୋଇଥିଲେ ବି ମିଳିଥିବା ଅନୁଦାନ ଅର୍ଥ ନେଇ କୌଣସି ତଥ୍ୟ ଦେଇନାହିଁ ବିଜେଡି । ଏଡିଆର ରିପୋର୍ଟ ଅନୁଯାୟୀ ବିଜେଡିକୁ ୨୦୨୧-୨୨ ବର୍ଷରେ କୌଣସି ବି ଚାନ୍ଦା ମିଳିନାହିଁ । ଏଡ଼ିଆର ରିପୋର୍ଟରେ ବିଜେଡିର ଏହି ତଥ୍ୟ ଆସିବା ପରେ ଶାସକ ଓ ବିରୋଧୀ ଦଳ ଭିତରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପ । ବିଜେପି ବିଧାୟକ ଭୂଦାନ ମୁର୍ମୁ କହିଛନ୍ତି ଯେ, ବିଜେଡି ଦେଶର ଦ୍ଵିତୀୟ ଧନୀ ଓ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଏହାର ତଥ୍ୟ ସର୍ବସାଧାରଣରେ ରହିଛି । ବିଜେଡି ପାଖରେ ବହୁତ ଅର୍ଥ ରାଶି ଅଛି । ଯେହେତୁ ପ୍ରକୃତ ଉତ୍ସରୁ ଏହି ଟଙ୍କା ଆସିନାହିଁ । ଏହା ଠିକ ଉପାୟରେ ଆସିଥିବା ଅର୍ଥ ନୁହେଁ, ସେଥିପାଇଁ ବିଜେଡି କେତେ ଟଙ୍କା ଚାନ୍ଦା ପାଇଛି ତାକୁ ଲୁଚାଉଛି ।
ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ଏଡିଆର ରିପୋର୍ଟ କେବଳ ଭାରତର ସର୍ଭେ । ମୋତେ ଯଦି ପଚରାଯାଏ ମୁଁ କହିବି ବିଜେଡି ବିଶ୍ୱର ସବୁଠାରୁ ଧନୀ ଦଳ । ବିଜେଡି ପାଇଥିବା ଚାନ୍ଦାର ତଥ୍ୟ ନ ଦର୍ଶାଇବା ଅର୍ଥ ତାହା କଳା ଧନ । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ଯେ, ଲୁଚେଇବାର ସେମିତି କିଛି ନାହିଁ । ମୁଖ୍ୟମନ୍ତ୍ରୀ ସବୁକିଛି ସ୍ପଷ୍ଟ ଆକାରରେ କରନ୍ତି । ଏହା କିଛି ନୂଆ ନୁହେଁ । ଏବେ ଯଦି ତଥ୍ୟ ଦିଆ ହୋଇନି ତେବେ ଆଗକୁ ଦିଆଯିବ । ଦଳ ଏଥି ପ୍ରତି ସଚେତନ ଅଛି । ବିରୋଧୀ ଚିରାଚରିତ ଭାବେ ଏମିତି ଅଭିଯୋଗ ଆଣିଛନ୍ତି । ସେଥିରେ କିଛି ନୂତନତ୍ୱ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା ।
ଇଟିଭି ଭାରତ, ଭୁବନେଶ୍ବର