ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) । ପରୀକ୍ଷା ପରିଚାଳନା ପାଇଁ ଶିକ୍ଷକଙ୍କ ତାଲିକା ମାଗିଛି ପରିଷଦ । CHSE ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କମ୍ପୋଜିଟ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ୧ରୁ ୧୫ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ନିଜ ଶିକ୍ଷାନୁଷ୍ଠାନରେ ଥିବା ଶିକ୍ଷକଙ୍କ ତାଲିକା ବା ଷ୍ଟାଫ୍ ଇନ୍ ପୋଜିସନ୍ (ଏସ୍ଆଇପି) ତାଲିକା ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।
ତେବେ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ୨୦୨୪ ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ପରୀକ୍ଷକ ଅତି କମ୍ରେ ଜୁନିୟର ଅଧ୍ୟାପକ ରାଙ୍କରୁ କମ ହୋଇନଥିବା ଆବଶ୍ୟକ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ସେହିପରି ସାମ୍ସ ଇ-ସ୍ପେସ୍ରେ ଥିବା ନିର୍ଦ୍ଧିଷ୍ଟ ଫର୍ମାଟ୍ରେ ଏହି ତାଲିକା ଦେବାକୁ କୁହାଯାଇଛି । ଅନ୍ଲାଇନ୍ରେ ଫର୍ମପୂରଣ କରିବା ବେଳେ ଉକ୍ତ ଶିକ୍ଷକଙ୍କ ମୋବାଇଲ ନମ୍ବର(ହ୍ୱାଟ୍ସଆପ୍ ନମ୍ବର) ଏବଂ ଇ-ମେଲ୍ ଆଇଡି ବାଧ୍ୟତାମୂଳକ ଭାବେ ଦେବାକୁ କୁହାଯାଇଛି । ଯଦି ସଠିକ୍ ସମୟରେ ଏସ୍ଆଇପି ଡାଟା ଦିଆ ନଯାଏ, ତାହେଲେ ଉକ୍ତ ଶିକ୍ଷାନୁଷ୍ଠାନକୁ ଆର୍ଡମିଟ୍ କାର୍ଡ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦିଆଯାଇଛି । ଏସ୍ଆଇପି ଡାଟାର ହାର୍ଡକପି ସିଏଚ୍ଏସ୍ଇ କାର୍ଯ୍ୟାଳୟକୁ ପଠାଇବାର ଆବଶ୍ୟକତା ନଥିବା ଚିଠିରେ ଉଲ୍ଲେଖ ରହିଛି ।
ଏହା ମଧ୍ୟ ପଢନ୍ତୁ- Plus 2 Exam Date: ଫେବୃଆରୀ ୧୪ରୁ ମାର୍ଚ୍ଚ 13 ଯାଏଁ ପରୀକ୍ଷା, ଜାନୁଆରିରେ ପ୍ରାକ୍ଟିକାଲ
ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଥିଓରୀ ପରୀକ୍ଷା ଫେବୃଆରୀ ୧୪ରୁ ମାର୍ଚ୍ଚ ୧୩ ମଧ୍ୟରେ ଶେଷ ହେବ । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଥିଓରୀ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ବର୍ଷ ରେଗୁଲାର ଛାତ୍ରଛାତ୍ରୀଙ୍କ ଅନଲାଇନ୍ ଫର୍ମ ପୂରଣ ଆସନ୍ତା ନଭେମ୍ବର ୧୦ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ । ଏକ୍ସ-ରେଗୁଲାର ପିଲା ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ଅନଲାଇନ ଫର୍ମ ପୂରଣ କରିବେ ବୋଲି କ୍ୟାଲେଣ୍ଡରରେ ଧାର୍ଯ୍ୟ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର