ଭୁବନେଶ୍ବର: ରାଜ୍ୟରେ ଗଠନ ହେବ ସ୍ଥାୟୀ ପୋଲିସ ଚୟନ ବୋର୍ଡ । ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ଅନୁମୋଦନ । ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାୟୀ ପୋଲିସ ଚୟନ ବୋର୍ଡର ବିଭିନ୍ନ ପଦ ଓ ପଦବୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।
ସ୍ଥାୟୀ ପୋଲିସ ଚୟନ ବୋର୍ଡରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଲାଗି ପଦବୀ ମଧ୍ୟ ସୃଷ୍ଟି ହୋଇଛି । ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ । ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇଜି ପାହ୍ୟାର ଅଧିକାରୀ ରହିବେ । ଅନ୍ୟ ଜଣେ ଅଧିକାରୀ ଡିଆଇଜି ବା ଏସପି ପାହ୍ୟାରେ ରହିବେ ।
ଏହାବି ପଢନ୍ତୁ- Cabinet Reshuffle: ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନ ! ଶପଥ ନେବେ ୩ରୁ ୪ ନୂଆ ମନ୍ତ୍ରୀ
ପୋଲିସ ବିଭାଗରେ ସମସ୍ତ ନିଯୁକ୍ତି ଓ ଚୟନ ପୋଲିସ ଚୟନ ବୋର୍ଡ କରିବ । ସିପାହୀଠାରୁ ଆରମ୍ଭ କରି ସବ ଇନିସପେକ୍ଟର ପର୍ଯ୍ୟନ୍ତ ସମସ୍ତ ନିଯୁକ୍ତି ଓ ଚୟନ ଏହି ବୋର୍ଡ କ୍ଷମତା ପରିସର ଭୁକ୍ତ ହେବ । ଏହା ଛଡା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ବ ମଧ୍ୟ ଏହି ବୋର୍ଡ ସଂପାଦନ କରିବ । ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ବାରା ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ । ଗୃହ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ । ଏହା ଅନ୍ତର୍ଗତ ରହିଛି ପୋଲିସ ପ୍ରଶାସନ । ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଠିକ ସମୟରେ ପୋଲିସ କର୍ମଚାରୀଙ୍କ ନିଯୁକ୍ତି ଆବଶ୍ୟକ ରହିଛି ।
ଏହାବି ପଢନ୍ତୁ- Quad Summit 2024: ଆୟୋଜକ ହେବ ଭାରତ, ଜାପାନରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ପୂର୍ବରୁ ଏସଆଇ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅଭିଯୋଗ ରହିଛି । ଏହା ଫଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସମସ୍ୟା ସୃଷ୍ଟି ହେବା ସହ ପୋଲିସ ପ୍ରଶାସନ ସହ ଚାପ ସୃଷ୍ଟି ହେଉଛି । ବୋର୍ଡ ଜରିଆରେ ଠିକ ସମୟରେ ନିଯୁକ୍ତି ଓ ଚୟନ ପ୍ରକ୍ରିୟା ହେଲେ ଜନସାଧାରଣଙ୍କ ସହ ପୋଲିସ ପ୍ରଶାସନ ଚାପ ମୁକ୍ତ ହେବ । ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷା ଓ ଚାପ ମୁକ୍ତ ପୋଲିସ ପ୍ରଶାସନ ଗଠନରେ ସରକାରଙ୍କ ଭଲ ପଦକ୍ଷେପ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର