ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କ ଦେହାନ୍ତ । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କୁ 98 ବର୍ଷ ବୟସ ହୋଇଥିଲା । ଯୁଗଳ କିଶୋରଙ୍କର ବଲାଙ୍ଗୀର ବାସଭବନରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଯୁଗଳ କିଶୋର ବାର୍ଦ୍ଧକ୍ୟ ଜନିତ କାରଣରୁ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।
ସୂଚନା ଅନୁସାରେ, ଯୁଗଳ କିଶୋର ବାର୍ଦ୍ଧକ୍ୟ ଜନିତ କାରଣରୁ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସ୍ବାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ପିସିସି ସଭାପତି ମଧ୍ୟ ବାପାଙ୍କ ନିକଟରେ ରହିଥିଲେ । ପୁଅ ଶରତ ବଟ୍ଟନାୟକ ଆଜି (ଗୁରୁବାର) ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ବାପାଙ୍କ ଦେହାନ୍ତ ଖବର ଶୁଣି ବଲାଙ୍ଗୀର ପ୍ରତ୍ୟାବର୍ତ୍ତନ କରିଥିବା ଖବର ମିଳିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ପୈତୃକ ବାସଭବନରେ ପରଲୋକ ହୋଇଥିବା ସୂଚନା ରହିଛି । ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗକୁ ନେଇ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳରେ ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପରଲୋକରେ ଅନୁଗୋଳର ପୂର୍ବତନ ବିଧାୟକ ରମେଶ ଜେନା
ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବାପା ଯୁଗଳ କିଶୋର ପଟ୍ଟନାୟକଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ପରଲୋକ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ତାଙ୍କ ପରିବାରକୁ ଧୌର୍ଯ୍ୟ, ଶକ୍ତି ଦିଅନ୍ତୁ ଏବଂ ଇଶ୍ବର ଯୁଗଳ କିଶୋର ପଟ୍ଟନାୟକଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ।
ସୂଚନା ଅନୁସାରେ, ଯୁଗଳ କିଶୋର ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲାର ଜଣେ ଖ୍ୟାତନାମା ଶିକ୍ଷାବିତ ଭାବରେ ଜଣାଶୁଣା । ତାଙ୍କର 3 ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ହେଉଛନ୍ତି ଯୁଗଳ ପଟ୍ଟନାୟକଙ୍କ ସାନ ପୁଅ। ବାପାଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଇଟିଭି ଭାରତ, ଭୁବନେଶ୍ବର