ଭୁବନେଶ୍ବର: ଏକାମ୍ର ଯଜ୍ଞରେ ସାମିଲ ହେଲେ ପିସିସି ସଭାପତି । ଏକାମ୍ରକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶରେ ନିଜକୁ ସାମିଲ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏକାମ୍ରକ୍ଷେତ୍ରର ରୂପରେଖ ବଦଳିବ ତେଣୁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଏକାମ୍ରକ୍ଷେତ୍ର । କାଶ୍ମୀର, ଋଷିକେଶ ପଣ୍ଡିତ ,ଓଡ଼ିଶାର ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ବେଦଧ୍ୱନି, ମନ୍ତ୍ର ଉଚ୍ଚାରଣ କରାଯାଇ ଏକାମ୍ରକ୍ଷେତ୍ରର ସାମୁହିକ ବିକାଶ ପାଇଁ ଚାଲିଛି ଯଜ୍ଞ ।
ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଯଜ୍ଞରେ ସାମିଲ ହୋଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଏକାମ୍ର ପ୍ରକଳ୍ପର ଭୂମିପୂଜନ ସ୍ଥାନରେ ବହୁ ମୁନି, ଋଷି, ସାଧୁ ସନ୍ଥ ମାନଙ୍କ ଦ୍ୱାରା ଚାଲିଥିବା ଯଜ୍ଞସ୍ଥଳକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପରିଦର୍ଶନ କରି ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ତଥା ଉପସଭାପତି ଶିବାନନ୍ଦ ରାୟ , ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସିର ସାଧାରଣ ସଂପାଦିକା ରଶ୍ମି ମହାପାତ୍ର ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ପଟ୍ଟନାୟକଙ୍କ ସହିତ ଯଜ୍ଞସ୍ଥଳ ପରିଦର୍ଶନ କରି ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପିସିସି ସଭାପତି ତଥା ସମସ୍ତ କଂଗ୍ରେସ ନେତୃବୃନ୍ଦ ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । 26ରୁ ଆରମ୍ଭ ହୋଇଥିବା ତିନିଦିନିଆ ଏକାମ୍ର କ୍ଷେତ୍ରର ପ୍ରକଳ୍ପ ଶିଳାନ୍ୟାସ ଯଜ୍ଞ ଅନୁଷ୍ଠିତ ହେଉଛି । ଆଜି ମୁଖ୍ୟମନ୍ତ୍ରୀ ଯଜ୍ଞରେ ସାମିଲ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ଏହା ବି ପଢନ୍ତୁ...ମନ୍ତ୍ରଧ୍ବନିରେ ପ୍ରକମ୍ପିତ ଏକାମ୍ର କ୍ଷେତ୍ର, ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଏହା ବି ପଢନ୍ତୁ...ଏକାମ୍ର କ୍ଷେତ୍ରରେ ଭୂମି ପୂଜନ ଉତ୍ସବ; ମନମୋହିଲା ଶିବ ତାଣ୍ଡବ
ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖର୍ଚ ହେବ ୪୫୦ କୋଟି ଟଙ୍କା। ୬୪ ଏକର ପରିମିତ ସ୍ଥାନରେ ହେବ ପ୍ରକଳ୍ପ କାର୍ଯ୍ୟ। ଲିଙ୍ଗରାଜ ମନ୍ଦିର ସାମନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଆଉ ଏହି ପ୍ରକଳ୍ପକୁ ଆରମ୍ଭ କରିବାକୁ ଯାଇ ଏକାମ୍ର ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଛି । ଏଥିପାଇଁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେଉଛି ଏକାମ୍ରକ୍ଷେତ୍ର । ୨୮ ଗୋଟି କଳସରେ ପାଣି ତୋଳାଯାଇ ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହୋଇଥିଲା ।
ଶ୍ରୀଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସମାରୋହ ଆୟୋଜିତ ହୋଇଥିଲା । ଏଥିଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶତାଧିକ ଶ୍ରଦ୍ଧାଳୁ ବସି ଭଜନ ସମାରୋହରକୁ ଉପଭୋଗ କରିଥିଲେ । ଭଗବାନଙ୍କ ଭଜନରେ ନିଜକୁ ହଜାଇ ଦେଇଥିଲେ । ପ୍ରାୟ ୮୦ ଫୁଟର ଷ୍ଟେଜ୍ ହୋଇଥିବାବେଳେ ଏଥିରେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଉପାସନା ନୀଳାଦ୍ରି କୁମାର ଭଜନ ପରିବେଷଣ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର