ଭୁବନେଶ୍ବର: କଂଗ୍ରେସ ଫୋକସରେ ପାର୍ଲିଆମେଣ୍ଟ । ସଂସଦୀୟ କ୍ଷେତ୍ର ଉପରେ ଏବେ କଂଗ୍ରେସର ନଜର । ଓଡ଼ିଶାରେ ୨୧ ସଂସଦୀୟ କ୍ଷେତ୍ର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ପିସିସି ସଭାପତିଙ୍କ ୯ରୁ ୯୦ ସଂକଳ୍ପକୁ ବାସ୍ତବ ରୂପ ଦେବା ସହ ସଂସଦୀୟ କ୍ଷେତ୍ରରେ ମଧ୍ୟ ଲାଗିପଡିଛି ଦଳ । ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ମାନଙ୍କୁ ଲୋକସଭା କ୍ଷେତ୍ରରେ ଦାୟିତ୍ବ ଦେଇଛି ଦଳ । ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ଜଜ୍ଞେଶ୍ବର ବାବୁ, ଜୟରାମ ପାଙ୍ଗି, ସରସ୍ବତୀ ହେମ୍ବ୍ରମ, ରବୀନ୍ଦ୍ର ମଲିକ, ନକୁଳ ନାୟକଙ୍କ ଭଳି ପୂର୍ବତନ ସାଂସଦ ଏବଂ ଭେଟେରାନ ନେତାମାନଙ୍କୁ ଦାୟିତ୍ବ ଦେଇଛି ଦଳ ।
୨୦୨୪ ସାଧାରଣ ନିର୍ବାଚନରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ହେଉଥିବାରୁ ଉଭୟ ବିଧାନସଭା ସହ ଲୋକସଭାରେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ । ଓଡ଼ିଶାର ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ସଠିକ ସଂଯୋଜନା ପାଇଁ ଏଆଇସିସି ୨୧ ସଂଯୋଜକ ନିଯୁକ୍ତ କରିଛନ୍ତି । ଏନେଇ ପିସିସି ସଭାପତି କହିଛନ୍ତି, "ଦଳର ବରିଷ୍ଠ ନେତାମାନଙ୍କୁ ଲୋକସଭା କ୍ଷେତ୍ର ଦାୟିତ୍ବ ଦେଇଛି ଏଆଇସିସି । ସେମାନେ ସେହି ଆସନରେ କଂଗ୍ରେସ ଦଳ କିଭଳି ମଜବୁତ ହୋଇପାରିବ, କାହାକୁ କଂଗ୍ରେସ ଦଳ ପାର୍ଥୀ କରିବ, ସେସବୁ ଦିଗ ଉପରେ ଏହି ପର୍ଯ୍ୟବେକ୍ଷକମାନେ କାର୍ଯ୍ୟ କରିବେ । ପାର୍ଥୀ ଚୟନ ପାଇଁ ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତିଙ୍କ ସହ ବ୍ଲକ ସଭାପତିଙ୍କ ରିପୋର୍ଟକୁ ତର୍ଜମା କରାଯିବ । ଏସବୁ ତର୍ଜମା ପରେ ଏଇସିସିକୁ ଆମେ ରିପୋର୍ଟ ଦେବୁ । ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ଥିବା ପ୍ରାୟ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ କଂଗ୍ରେସ ତୃଣମୂଳ ସ୍ତରରେ ପହଞ୍ଚିବ । ସେନେଇ ପର୍ଯ୍ୟବେକ୍ଷକ ମାନେ କାମ କରିବେ । ଏଆଇସିସି ପକ୍ଷରୁ ପ୍ରତ୍ୟକ ସଂସଦୀୟ କ୍ଷେତ୍ରରେ ଦୁଇ ଜଣ ଲେଖାଏଁ ସର୍ଭେ କରୁଛନ୍ତି । ବରିଷ୍ଠ ନେତୃବୃନ୍ଦ ବସିବେ, ଜିଲ୍ଲା ବ୍ଲକ ସଭାପତି ମାନଙ୍କ ରିପୋର୍ଟକୁ ମଧ୍ୟ ସମୀକ୍ଷା କରାଯିବ । ତାପରେ ଯାଇ ସାଂସଦ ପ୍ରାର୍ଥୀ ଚୟନ କରାଯିବ ।"
ଏହା ମଧ୍ୟ ପଢ଼ନ୍ତୁ...ପ୍ରତି ଲୋକସଭା କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା କଂଗ୍ରେସ
ପୂର୍ବରୁ କଂଗ୍ରେସ ପ୍ରାୟ ୧୫ଟି ସଂସଦୀୟ କ୍ଷେତ୍ର ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଥିଲା । ୧୫ ଲୋକସଭା କ୍ଷେତ୍ରରେ ଥିବା ୧୦୦ଟି ବିଧାନସଭା ସିଟକୁ ଫୋକସରେ ରଖିଥିଲା ଦଳ । ତେବେ ଗତକାଲି ପ୍ରତି ଲୋକସଭା କ୍ଷେତ୍ରରେ ସଂଯୋଜନା କରିବା ପାଇଁ ସଂଯୋଜକ ଦାୟିତ୍ବ ଦେଇଛି ଏଆଇସିସି । ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦେଇଛି ଦଳ । ସୂଚନା ଥାଉ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ କେବଳ ଗୋଟିଏ ଲୋକସଭା କ୍ଷେତ୍ର ଜିତିଥିଲା । ଦକ୍ଷିଣ ଓଡ଼ିଶାର ଦୁର୍ଗ କୁହାଯାଉଥିବା କୋରାପୁଟ ସଂସଦୀୟ କ୍ଷେତ୍ର ଜିତିଥିଲେ ସପ୍ତଗିରି ଉଲକା । ଯଦିଓ ବହୁତ କମ ବ୍ୟବଧାନରେ ସେ ଜିତିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର