ଭୁବନେଶ୍ବର: ବିକ୍ରିହେବ ଭକ୍ତଙ୍କ ଭାବ । କାରଣ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରାକୁ ପ୍ରସାରଣ କରିପାରିବେନି ସମସ୍ତ ଗଣମାଧ୍ୟମ । ପ୍ରତିବର୍ଷ ରଥଯାତ୍ରାରେ ସମସ୍ତ ଟେଲିଭିଜନ ଚ୍ୟାନେଲ ସିଧାପ୍ରସାରଣ କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ କୌଣସି ଏକ ନିର୍ଦ୍ଧିଷ୍ଟ ଚ୍ୟାନେଲକୁ ପ୍ରସାରଣର କ୍ଷମତା ହସ୍ତାନ୍ତର କରିବାକୁ ପ୍ରସ୍ତୁତ କରିଛି ଯୋଜନା । ପ୍ରଶାସନର ଏପରି ନିଷ୍ପତ୍ତିକୁ ନେଇ ଜୋର ଧରୁଛି ବିବାଦ ।
ବଡ଼ଦାଣ୍ଡ ଯାଇ ବଡ଼ଦିଅଁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଦେଖିବାର ସୌଭାଗ୍ୟ ସମସ୍ତେ ପାଇପାରନ୍ତି ନାହିଁ । ଅନେକ ଭକ୍ତ ଘରେ ବସି ଟେଲିଭିଜନ ମାଧ୍ୟମରେ ସିଧାପ୍ରସାରଣ ଦେଖିଥାଆନ୍ତି । କିନ୍ତୁ ପ୍ରଶାସନର ଏପରି ରୋକ୍ ଉପରେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ମଧ୍ୟ ବିରୋଧୀ କଂଗ୍ରେସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଧାୟକ ନରସିଂହ ମିଶ୍ର କହିଛନ୍ତି, ପୁଞ୍ଜିବାଦ ଅର୍ଥନୀତିକୁ ଆପଣାଇବାକୁ ଯାଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହା ଠିକ ନୁହେଁ । ଭକ୍ତର ଭାବନା ସହ ଜଡ଼ିତ ଆବେଗକୁ ବ୍ୟବସାୟିକ ଭାବରେ ନେବା ଠିକ ନୁହେଁ।
ଅନ୍ୟପକ୍ଷରେ ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, ଯଦି ଏହା କାର୍ଯ୍ୟକାରୀ କରାଯାଏ ତେବେ ପୁରୀ ବଡ଼ଦାଣ୍ଡରେ ବସିବୁ । ଆନ୍ଦୋଳନ କରିବୁ। ଗଣମାଧ୍ୟମର କଣ୍ଠରୋଧ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ