ଭୁବନେଶ୍ବର: ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଏକକ ପରିଚୟ ପତ୍ର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍ ପିଲାଙ୍କ ପାଇଁ 'ଗୋଟିଏ ଦେଶ, ଗୋଟିଏ ପରିଚୟ' ପତ୍ର ଅଣାଯିବାକୁ ଯୋଜନା କରାଯାଉଛି । ଏହି ଆଇଡି କାର୍ଡରେ ୧୨ ଅଙ୍କ ବିଶିଷ୍ଟ ଏକ ନମ୍ବର ରହିବ । ଯାହା ପ୍ରି-ପ୍ରାଇମେରୀଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ରହିବ । ଏହାକୁ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି ।
ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଡେଣ୍ଟିଫିକେସନ୍ ନମ୍ବର ମିଳିବ। ୨୦୨୦ ଶିକ୍ଷାନୀତି ଅନୁଯାୟୀ, ସମସ୍ତ ସ୍କୁଲ୍ ପିଲାଙ୍କ ପାଇଁ 'ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର'( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି । ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରଖାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ସଫଳତାର ବିସ୍ତୃତ ତଥ୍ୟ ରଖାଯିବ । ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ଭାବେ APAAR ଛାତ୍ରଛାତ୍ରୀଙ୍କ ଆଇଡି ନମ୍ବର ହେବ ।
ଏହା ବି ପଢନ୍ତୁ...One Nation One Election: ୨୩ରେ ବସିବ ପ୍ରଥମ ବୈଠକ, ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ସୂଚନା
କେନ୍ଦ୍ର ସରକାରଙ୍କର ଏଭଳି ପଦକ୍ଷେପକୁ ଶିକ୍ଷାବିତ୍ ସ୍ଵାଗତ କରିଛନ୍ତି । ଏନେଇ ଶିକ୍ଷାବିତ ଆର ଏନ୍ ପଣ୍ଡା କହିଛନ୍ତି, "ସ୍କୁଲଠାରୁ ଆରମ୍ଭ କରି ୟୁନଭର୍ସିଟିରେ ପାଠ ପଢ଼ିବା ପର୍ଯ୍ୟନ୍ତ ପିଲାମାନେ ଏହି କାର୍ଡର ବ୍ୟବହାର କରିପାରିବେ । ତେବେ ମୁଖ୍ୟ କଥା ହେଲା ଏହି କାର୍ଡକୁ ସବୁବେଳେ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ । ଅନେକ ପିଲାଙ୍କର ତଥ୍ୟ ଏହି କାର୍ଡରେ ରହୁଥିବାରୁ ଏହାକୁ କଡ଼ା ସିକ୍ୟୁରିଟିରେ ରହିବା ନିହାତି ଜରୁରୀ ।"
ଏହା ବି ପଢନ୍ତୁ...One Nation, One Election: ମୁଖ୍ୟ ନିର୍ବାଚନ କମିଶନର କ'ଣ କହିଲେ ଶୁଣନ୍ତୁ...
ସେପଟେ ଶିକ୍ଷାବିତ ଜଲିଲ୍ ଖାନ୍ କହିଛନ୍ତି,"ଏହାକୁ ଯେଉଁ ଡିଜିଟାଲାଇଜ କରାଯାଇଛି ତାହାକୁ ସ୍ଵାଗତ କରୁଛି । ଛାତ୍ର ହେଉ କି ଛାତ୍ରୀଟିଏ ଯେକୌଣସି ସ୍ଥାନରେ ପାଠ ପଢିଲେ ବି ସେମାନଙ୍କ କୌଣସି ଅସୁବିଧା ହେବ ନାହିଁ ।" ଏହାସହ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ୱାନ୍ ନେସନ୍ ଆଇଡି କାର୍ଡ କରିବା ପୂର୍ବରୁ ଶିକ୍ଷାକୁ ଆହୁରି ତ୍ୱରାନ୍ବିତ କରିବାକୁ ପଡ଼ିବ । ଯେଭଳି ଭାବରେ ୱାନ୍ ନେସନ୍ ୱାନ ଆଇଡି କାର୍ଡ କରାଯାଉଛି, ଏହା ପୂର୍ବରୁ ୱାନ୍ ନେଶନ ୱାନ୍ ଏଜୁକେଶନ କରିବାର ଆବଶ୍ୟକତା ରହିଛି ।"
ଇଟିଭି ଭାରତ, ଭୁବନେଶ୍ବର